Odia News Portal

ମୃତ୍ୟୁ ପିଛା ହିଁ ଛାଡିନି; ଶେଷରେ ନେଲା ଜୀବନ

୨୦୧୮ରେ ବନ୍ୟାପ୍ଳାବିତ ଥାଇଲାଣ୍ଡ୍‌ ଗୁମ୍ଫା ‘ଥାମ୍‌ ଲୁଆଙ୍ଗ୍‌’ ଭିତରେ ୨ ସପ୍ତାହରୁ ଅଧିକ ଦିନ ଫସି ରହିଥିବା ୧୨ଜଣ ବାଳକଙ୍କ ମଧ୍ୟରୁ ଜଣେ ତଥା ଥାଇ ଫୁଟ୍‌ବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ଦୁଆଙ୍ଗଫେଟ୍‌ ପ୍ରୋମ୍‌ଥେପ୍‌ଙ୍କର ବୁଧବାର ଦିନ ବ୍ରିଟେନ୍‌ରେ ମୃତ୍ୟୁ ଘଟିଥିବା କଥା ତାଙ୍କର ପୂର୍ବତନ ଶିକ୍ଷକ କହିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୧୭ ବର୍ଷ ହୋଇଥିଲା। ସେ ଥିଲେ ‘ୱାଇଲ୍‌ଡ୍‌ ବୋଆର୍ସ’ (ବଣ୍ୟ ବରାହ) ଫୁଟ୍‌ବଲ୍‌ ଟିମ୍‌ର ଅଧିନାୟକ।  ୫ ବର୍ଷ ତଳେ ତାଙ୍କୁ ଯେତେବେଳେ ୧୩ ବର୍ଷ ସେ ଓ ତାଙ୍କର ସାଥୀମାନେ ପ୍ରାକ୍ଟିସ୍‌ ମ୍ୟାଚ୍‌ ପରେ କୋଚ୍‌ଙ୍କ ସହିତ ଚିଆଙ୍ଗ୍‌ ରାଇ ପ୍ରଦେଶ ଅନ୍ତର୍ଗତ ସେ ଗୁମ୍ଫା ଭିତରକୁ ପଶିଥିବା ବ‌ଳେ ହଠାତ୍‌ ବନ୍ୟା ଆସିଯାଇଥିଲା। ଫଳରେ ପଥରଖଣ୍ଡ ଓ ଅନ୍ଧକାର ମଧ୍ୟରେ ସେମାନଙ୍କୁ କାଳାତିପାତ କରିବାକୁ ପଡ଼ିଥିଲା। ପ୍ରାୟ ଅସମ୍ଭବ ମନେହେଉଥିବା ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ କରିଥିଲେ କେତେକ ଆନ୍ତର୍ଜାତିକ ବୁଡ଼ାଳି ଓ ଥାଇ ନୌସେନା ‘ସିଲ୍‌’। ସେତେବେଳେ ଏହି ଘଟଣା ବିଶ୍ବବ୍ୟାପୀ ଆଲୋଚ୍ୟ ବିଷୟ ପାଲଟିଥିଲା।

ଗତବର୍ଷ ବୃତ୍ତି ପାଇ ସେ ଇଂଲଣ୍ଡ୍‌ର ଏକ ଫୁଟ୍‌ବଲ୍‌ ଏକାଡେମିରେ ଯୋଗ ଦେଇଥିଲେ। ସେତେବେଳେ ସେ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ମୁଁ ପଣ କରି କହୁଛି, ମନଯୋଗ ଦେଇ ସର୍ବୋତ୍ତମ ପ୍ରଦର୍ଶନ କରିବି। ପରେ ସେ ଇଂଲଣ୍ଡ୍‌ରେ ତାଙ୍କ କ୍ଲାସ୍‌ ଓ ସ୍କୁଲ୍‌ ପଡ଼ିଆର ଫଟୋଗ୍ରାଫ୍‌ ମଧ୍ୟ ପୋଷ୍ଟ କରିଥିଲେ।

ବନ୍ଧୁମାନଙ୍କ ମଧ୍ୟରେ ‘ଡୋମ୍‌’ ନାମରେ ଜଣାଶୁଣା ଦୁଆଙ୍ଗଫେଟ୍‌ ଜୀବନର ପ୍ରଥମ ଘାତକ ଦଶା ଏଡ଼ାଇ ଯାଇଥିଲେ ବି ଦ୍ବିତୀୟଟିକୁ ପାରି ନ ଥିଲେ। ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା କଥା ତାଙ୍କ ପରିବାର ଓ ତାଙ୍କୁ ବୃତ୍ତି ପାଇବାରେ ସହାୟତା କରିଥିବା ‘ଜିକୋ ଫାଉଣ୍ଡେସନ୍‌’ ସୂଚନା ଦେଇଥିଲେ।

ତାଙ୍କ ମୃତ୍ୟୁର କୌଣସି କାରଣ ଦିଆଯାଇ ନ ଥିଲେ ବି, ‘ଜିକୋ ଫାଉଣ୍ଡେସନ୍’ର ସଂସ୍ଥାପକ କିଆତିସୁକ ସେନାମୁଆଙ୍ଗ୍ ବୁଧବାର ଦିନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ରବିବାର ଅପରାହ୍ଣରେ ନିଜ ଡର୍ମ୍ ରୁମ୍ରେ ସେ ଅଚେତ ହୋଇ ପଡ଼ିଥିବା ତାଙ୍କର ଜଣେ ଶିକ୍ଷକ ଦେଖିଥିଲେ। ଚିକିତ୍ସା ସଫଳ ନ ହେବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଲା।