ବିଜେଡି ନେତାଙ୍କୁ ସତର୍କ କରାଇଲେ ରାଜ୍ୟ କଂଗ୍ରେସର ପ୍ରଭାରୀ ଚେଲା କୁମାର । ଚେଲା କୁମାର କହିଛନ୍ତି ଯେ, ଆଜି ନବ ଦାସ, କାଲି ଆଉ କିଏ। ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରି ଚେଲା କହିଛନ୍ତି କାହାର ବି ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ ।
ଯେଉଁ ମାନେ ଦଳରେ ରହି ସତ କୁ ସାମ୍ନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି। ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି। ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ଯେଉଁଠି ଜଣେ ଏଏସଆଇ ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ତେଣୁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ।
ସେ ଆହୁରି କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ପୂର୍ବରୁ ମଧ୍ୟ ପରୀ, ମମିତା, ସ୍ମିତାରାଣୀ ଭଳି ଘଟଣାର ତଦନ୍ତ ହୋଇଛି, କଣ ଫଳ ଆସିଛି ବୋଲି ପ୍ରଶ୍ନ କରିଛନ୍ତି ଚେଲା କୁମାର । ରାଜ୍ୟରେ ବିଜେଡ଼ି ଗୁଣ୍ଡାରାଜ ଚଲେଇଛି। ଗୋଟିଏ କୋଟେରି ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ଖେଳାଉଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲାକୁମାର । ଏଥି ସହିତ ଆଗାମୀ ବିଧାନ ସଭା ଅଧିବେଶନରେ ରାଜ୍ୟର ଆଇନ ଶୃଙ୍ଖଳା, ନବ ଦାସ ହତ୍ୟା, ଚାଷୀ, ଦୁର୍ନୀତି, ଚିଟ୍ ଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଦଳ ଉଠାଇବ ବୋଲି ସେ କହିଛନ୍ତି।