Odia News Portal

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କିପରି କାର୍ଯ୍ୟକାରୀ ହେଉଛି ସରକାରୀ ଯୋଜନା । ଭବିଷ୍ୟତ ରୋଡ୍‌ ମ୍ୟାପ୍‌ କଣ ରହିବ । ଏକାଠି ହେବେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳ । ପ୍ରଶାସନକୁ ସକ୍ରିୟ, ସ୍ୱଚ୍ଛ, ଗତିଶୀଳ ରଖି ପ୍ରଗତିଶୀଳ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଗୁରୁମନ୍ତ୍ର ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ତୃଣମୂଳ ସ୍ତରରେ ନାଗରିକ କୈନ୍ଦ୍ରକ ସେବା ସହିତ ସୁଶାସନ ଓ ଫାଇଭ ଟି ଇନସିଏଟିଭ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ଜିଲ୍ଲାପାଳଙ୍କ ବିଶେଷ ଭୂମିକା ରହିଛି । ପ୍ରଥମ ଦିନରେ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇବେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ସରକାର ସ୍ୱାସ୍ଥ୍ୟ ଉପରେ ଫୋକସ କରୁଛନ୍ତି । ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ରହିଛି BSKY । ଆମ ହସ୍ପିଟାଲ ଓ ବିଏସ୍‌କେୱାଇ ଜରିଆରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ବିଷୟ ଉପରେ ଆଲୋକପାତ କରିବେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ସେହିପରି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଏବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବାକୁ ଚାଲିଛି ଅଭିଯାନ । ଜିଲ୍ଲାପାଳମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ । ତଥ୍ୟ ରଖିବେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ । କୃଷି କ୍ଷେତ୍ରରେ ବହୁବିଧ ଚାଷକୁ କିପରି ପରବର୍ତ୍ତୀ ସ୍ତରକୁ ନିଆଯିବ, ସେନେଇ ସମ୍ମିଳନୀରେ ଆଲୋଚନା ହେବ ।

ଯୁବପିଢିର ବିକାଶରେ ରାଜ୍ୟର ବିକାଶ ଦେଖୁଛନ୍ତି ସରକାର । ଶିକ୍ଷା ଓ କ୍ରୀଡ଼ାକୁ ଦିଆଯାଉଛି ଗୁରୁତ୍ୱ । ତେଣୁ ସମ୍ମିଳନୀରେ ଭିଜନ ଅଫ ନ୍ୟୁ ଓଡ଼ିଶା- ଦ ଡ୍ରିମ୍‌ସ ଅଫ ଦ ଜେନେରେସନ ଏକ୍ସ ଉପରେ ହେବ ଆଲୋଚନା। ଏହାସହ ଜଳ ସେଚନ ଯୋଗେ ଗ୍ରାମାଞ୍ଚଳର ସମୃଦ୍ଧି ଉପରେ ଆଲୋଚନା କରିବେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟସଚିବ ଅନୁ ଗର୍ଗ । ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି ସରକାର । ନିବେଶକ ଆକୃଷ୍ଟ ହେଉଛନ୍ତି। କିନ୍ତୁ ଜିଲ୍ଲା ସ୍ତରରେ ବାସ୍ତବରେ କିପରି କାର୍ଯ୍ୟ ହେଉଛି। ଓଡ଼ିଶା-ଇଣ୍ଡିଆସ ଲିଡିଂ ଇନ୍‌ଭେଷ୍ଟମେଣ୍ଟ ଡେଷ୍ଟିନେସନ ଉପରେ କହିବେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା।