ଲାଇସେନ୍ସ ନଥାଇ ଅନଲାଇନ୍ରେ ଔଷଧ ବିକ୍ରି କରୁଥିବା ୨୦ଟି ସଂସ୍ଥାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନୋଟିସ୍ ଜାରି କରି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ବିନା ଲାଇସେନ୍ସରେ ଅନଲାଇନ୍ ଔଷଧ ବିକ୍ରିକୁ ନିଷିଦ୍ଧ କରିବା ଲାଗି ୨୦୧୮ ଡିସେମ୍ବର ୧୨ରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଥିଲେ। ସେହି ରାୟ ଆଧାରରେ କରି ଡିସିଜିଆଇ ଭି ଜି ସୋମାନି ବିଭିନ୍ନ ଇ-ଫାର୍ମାସିକୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି।
ଡିସିଜିଆଇ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କ ରାୟର ନକଲକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୦୧୯ ମେ’ ଓ ନଭେମ୍ବରରେ ପଠାଯାଇଥିଲା। ପୁଣି ଥରେ ଚଳିତ ବର୍ଷ ଫେବ୍ରୁଆରି ୩ରେ ସେହି ରାୟକୁ ପଠାଯାଇଥିଲା ଓ ତାହାକୁ କଡ଼ା ଭାବେ ପାଳନ କରିବା ଲାଗି କୁହାଯାଇଥିଲା। ଏତେ ସବୁ ସତ୍ତ୍ବେ ଯେଉଁ ଇ-ଫାର୍ମାସିଗୁଡ଼ିକ ଲାଇସେନ୍ସ ନେଇନାହାନ୍ତି ସେମାନଙ୍କୁ ନୋଟିସ୍ ପଠାଯାଇଛି। ନୋଟିସ୍ ପାଇବାର ଦୁଇ ଦିନ ଭିତରେ ପ୍ରଶ୍ନର ଉତ୍ତର ଦେବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଆଇନ ଅନୁସାରେ ଔଷଧ ବିକ୍ରି କିମ୍ବା ବିତରଣ କରିବା ଲାଗି ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନେବାକୁ ପଡ଼ିବ। ନୋଟିସ୍ ପଠାଯାଇଥିବା ଯେଉଁ ସଂସ୍ଥା କୌଣସି ଉତ୍ତର ଦେବନାହିଁ ସେଥିରେ ଧରିନିଆଯିବ ଯେ କଂପାନିକୁ କିଛି କହିବାର ନାହିଁ। ଏହା ପରେ କର୍ତ୍ତୃପକ୍ଷ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ।
ଡ୍ରଗ୍ସ ଆଣ୍ଡ୍ କସ୍ମେଟିକ୍ସ ଆକ୍ଟକୁ ଯେଭଳି ଇ-ଫାର୍ମାସିଗୁଡ଼ିକ ଠିକ୍ ଭାବେ ପାଳନ କରିବେ ତାହାକୁ ନିଶ୍ଚିତ କରିବା ଲାଗି ସରକାରଙ୍କୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି। ବିନା ଲାଇସେନ୍ସରେ ଯେଉଁମାନେ ଔଷଧ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ମହାସଂଘ ପକ୍ଷରୁ କୁହାଯାଇଛି ଯେ ଅନଲାଇନ୍ରେ ଔଷଧ ବିକ୍ରି କରୁଥିବା ଅଧିକାଂଶ ସଂସ୍ଥା ବିଦେଶୀ ନିବେଶକମାନଙ୍କ ଦ୍ବାରା ପରିଚାଳିତ ହେଉଛନ୍ତି। ମଲ୍ଟି ବ୍ରାଣ୍ଡ୍ ରିଟେଲ୍ ପାଇଁ ଯେଉଁ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ନୀତି ରହିଛି ସେହି ଅନୁସାରେ ରିଟେଲ୍ ଲାଇସେନ୍ସ ପାଇଁ ଆବେଦନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।
Sign in
Sign in
Recover your password.
A password will be e-mailed to you.