Odia News Portal

ଓଡିଆ ଛୁଙ୍କ ନେଇ ଆସୁଛି ଓଡିଆ ଚଳଚ୍ଚିତ୍ର “ପ୍ରଥା”

ବର୍ତ୍ତମାନ ପରିସ୍ଥିତିରେ ଯେଉଁଠି ଓଡିଆ ଚଳଚ୍ଚିତ୍ରର ଚାହିଦା କମିବାକୁ ଲାଗିଛିି ସେଠି ନିର୍ଦ୍ଦେଶକ ଓ ଓଡିଆ ସିନେତାରକା ଭରପୂର ଚେଷ୍ଟା ଚଲେଇଛନ୍ତି କିପରି ପୁଣି ଓଡିଆ ଦର୍ଶକଙ୍କ ମନ ମୋହିବେ। ତେବେ ଆମ ରାଜ୍ୟର ପରମ୍ପରା ଓ ରୀତିନୀତିକୁ ନେଇ ହେଉଥିବା କାହାଣୀ ଏବେ ପରଦାକୁ ଆଣୁଛନ୍ତି ଚଳଚ୍ଚିତ୍ର ନିର୍ମାତା । ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଛି ।

ତେବେ ନିକଟରେ ଅତୀତରେ ସୁପରହିଟ ହୋଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ତା’ର ଉଦାହରଣ। ସେହିପରି ଏକ ନିଛକ ଓଡିଆ କାହାଣୀକୁ ନେଇ ଆସୁଛି ସାନ୍ଲିସା ସିଗ୍ନେଚର ଫିଲ୍ମସର ପ୍ରଥମ ଅବଦାନ ‘ପ୍ରଥା’। ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ଏହି ଚଳଚ୍ଚିତ୍ରର ମହୁରତ୍ ହୋଇଯାଇଛି। ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ‘ପ୍ରଥା’ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ଅଭିନେତ୍ରୀଙ୍କ ଛଡା ଅନ୍ୟାନ୍ୟ କ୍ରୁ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ। ଯେପରି ଏଇ କାହାଣୀର ନାଁ’ କହୁଚି, ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ ବାରିକ, ଶୀତଲ ପାତ୍ର ଓ ମୁମ୍ବାଇର ଜଣେ ଅଭିନେତ୍ରୀ ତଥା ମଡେଲ ସିମ୍ରନ କୌର। ସିମ୍ରନ ଲୋକପ୍ରିୟ ଏନିମେସନ୍ ସିରୀଜ ଡୋରେମନ୍’ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ଭଏସ୍ ଦିଅନ୍ତି। ଏମାନଙ୍କ ଛଡା ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶଃ ଆଲୱାହଟ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ ପଟେଲ ଓ ଇଲ୍ଲୁ ବାନର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥିଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା, ସେଇଟା ଆମେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ପାଇବା। ଏକା ଭଳି ପରିସ୍ଥିତିରେ ଥିଲେ ବି ଦୁଇଟା ଲୋକଙ୍କର ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶକ କେ. ମୂରଲୀ କ୍ରୀଷ୍ଣା ଆପଣଙ୍କୁ ଦେଖାଇବାର ପ୍ରୟାସ କରିବେ। ସ୍ଵରାଜ ଲଭରବୟ ଭୂମିକାରୁ ବାହାରି ଏକ ନୂତନ ଧରଣର ଚରିତ୍ରରେ ଅଭିନୟ କରିବା ପ୍ରଥମ। ଶୀତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଆମେ ଦେଖିବାକୁ ପାଇବା। ଏହା ଛଡା ବଲିଉଡ୍ ଅଭିନେତ୍ରୀ ସିମ୍ରନ କୌର ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ।
ଉଭୟ ଶିତଲ ଏବଂ ସିମ୍ରନ ଭିନ୍ନ ଭିନ୍ନ ପରିବେଶରେ ରହି ମଧ୍ୟ କିପରି ଏକା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ଦୁହେଁ ସେହି ପରିସ୍ଥିତି ସାମ୍ନା କିପରି କରୁଛନ୍ତି, ତାହା ‘ପ୍ରଥା’ କାହାଣୀର ଏକ ମୁଖ୍ୟ ଅଂଶ। ଏହା ଆଜିକା ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବ। ଚଳଚ୍ଚିତ୍ରଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ଶୂଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଅଛି। ଚଳଚ୍ଚିତ୍ର ପ୍ରଥାର ଅନ୍ୟାନ୍ୟ ଦାୟିତ୍ୱରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ ଓ ଲାଇନ୍ ପ୍ରଡୁସର ବିଜୟ ପାତ୍ର ଅଛନ୍ତି। ମହୁରତ ଉତ୍ସବର ମଞ୍ଚ ପରିଚାଳନା ଦାୟିତ୍ୱରେ ଥିଲେ ଆର.ଜେ ଗୁଡ୍ଡୀ। ଚଳଚ୍ଚିତ୍ର ପ୍ରଥାର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।