Odia News Portal

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ । ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, କଟକରୁ ଗିରଫ ହୋଇଥିବା ଅବଦୁର ରେହମାନ ବେଆଇନ୍ ଭାବେ ପାକିସ୍ତାନ ଗସ୍ତ କରିଥିଲେ । ସେଠାରେ ରହି ଆତଙ୍କବାଦୀ ଟ୍ରେନିଂ ନେଇଥିଲେ । ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର କରିବା ଅଭିଯୋଗରେ ୨୦୧୫ରେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ମହମ୍ମଦ ଆସିଫ, ମହମ୍ମଦ ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମି । ଅବଦୁର ରେହମାନକୁ କଟକ ସାଲେପୁର ପଶ୍ଚିମକଛ ସାତବାଟିଆ ଗାଁରୁ ଗିରଫ କରାଯାଇଥିଲା । ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା ।

ତେବେ ବିଚାରଧୀନ କଏଦୀ ଭାବେ ଅବଦୂର ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିବା ବେଳେ ଗତ ୨୦୨୦ ଜୁନ ୧୫ ତାରିଖରେ ମାଆଙ୍କ ଦେହାନ୍ତ ହୋଇଥିଲା । ମାଆର ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ଅବଦୂରର ପରିବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ଜାମିନ ଆବେଦନକୁ ଖାରଜ କରି ମାତ୍ର ୪ ଘଣ୍ଟାର ପାରୋଲ ଆସିବା ପାଇଁ ଅନୁମତି ଦେଇଥିଲେ । ଅବଦୁର ରେହମାନ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହିତ ହାତ ମିଳାଇଥିଲା ଏବଂ ବେଆଇନ୍ ଭାବେ ସେ ପାକିସ୍ତାନ ଗସ୍ତ କରିଥିଲା ବୋଲି ପୋଲିସ ଜାଣିପାରିଥିଲା । ପାକିସ୍ତାନ ଯାଇ ସେଠାରେ ପ୍ରମୁଖ ଆତଙ୍କବାଦୀ ସଂଗଠନ ସହିତ ମିଶି ଦେଶରେ ଭାରତ ବିରୋଧୀ ଏଜେଣ୍ଡା ଚଳାଇବାକୁ ଉଦ୍ଦ୍ୟମ କରିଥିଲା । ଅବଦୁର ରେହମାନ ଗିରଫ ହେବା ଘଟଣା ସେତେ ବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।