Odia News Portal

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ, ଚିତ୍ରା ରାମକୃଷ୍ଣଙ୍କୁ ଜାମିନ ପ୍ରଦାନ କରିଛନ୍ତି

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ୟ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମିଳାଲା ଜାମିନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍ଏସ୍ଇ କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।
ଚିତ୍ରା ରାମକୃଷ୍ଣ ଏପ୍ରିଲ ୨୦୧୩ରୁ ଡିସେମ୍ବର ୨୦୧୬ ଯାଏଁ ଏନ୍ଏସ୍ଇର ଏମ୍ଡି ଓ ସିଇଓ ଥିଲେ। ନିଜ କାର୍ୟ୍ୟକାଳ ସମୟ ସେ ହିମାଳୟନ ଯୋଗୀଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ଚଳାଇବା ଏବଂ ସମ୍ବେଦନଶୀଳ ସୂଚନା ବାଣ୍ଟିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିବିଆଇ ଯାଞ୍ଚ କରୁଥିବାବେଳେ ଚିତ୍ରା, ଆନନ୍ଦ ସୁବ୍ରମଣ୍ୟମ ଏବଂ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ଆନନ୍ଦ ସୁବ୍ରମଣ୍ୟମଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି ଯେ ସେ ଏନଏସଏ କାର୍ୟ୍ୟରେ ହସ୍ତକ୍ଷେପ କରୁଥିଲେ। ଏହା ସହିତ ସେ କର୍ମଚାରୀଙ୍କ ଫୋନକୁ ଟ୍ୟାପ୍ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ପୂର୍ବରୁ ମନି ଲଣ୍ଡରିଙ୍ଗ୍ ମାମଲାରେ ଜାମିନ ମଞ୍ଜୁର ନ ଦେବା ବେଳେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି କହିଥିଲେ, ‘ଆଇସେକ୍’ ନାମରେ ଗୋଟାଏ ସାଇବର୍ ସିକ୍ୟୁରିଟି କମ୍ପାନି ବେଆଇନ ଭାବେ ‘ଏନ୍ଏସ୍ଇ’ କର୍ମଚାରୀମାନଙ୍କ ଫୋନ୍ ଟ୍ୟାପିଙ୍ଗ୍ କରି ୪.୫୪ କୋଟି ଟଙ୍କା ଉପାର୍ଜନ କରିଛି। ସମ୍ଭାବ୍ୟ ସାଇବର ଆକ୍ରମଣର ସାମୟିକ ଅଧ୍ୟୟନ କରିବା ଆଳରେ ଏହି କମ୍ପାନି ‘ଏନ୍ଏସ୍ଇ’ କର୍ମଚାରୀମାନଙ୍କୁ ଫୋନ୍ କଲ୍ ସବୁ ଟ୍ୟାପିଙ୍ଗ୍ କରୁଥିଲା। ବେଆଇନ କାର୍ୟ୍ୟକଳାପ ଦ୍ୱାରା ‘ଆଇସେକ୍’କୁ ଅର୍ଥପ୍ରାପ୍ତ କରାଇବାକୁ ଅନୁମତି ଦିଆଯିବା କାରଣରୁ ‘ଏନ୍ଏସ୍ଇ’ର ଆର୍ଥିକ କ୍ଷତି ହୋଇଛି ବୋଲି ବିଚାରପତି କହିଥିଲେ।