ଆଜି ପବିତ୍ର ଶାମ୍ବ ଦଶମୀ। ପ୍ରତିଟି ଓଡ଼ିଆ ଘରେ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଶାମ୍ବ ଦଶମୀ । ଏହି ଦିନ ସୂର୍ଯ୍ୟ ଦେବଙ୍କୁ ଭୋରରୁ ଉଠି ପୂଜା କରାଯାଏ। ମୁଖ୍ୟତଃ ଓଡ଼ିଶାର ପୂର୍ବ ଭାଗରେ ଏହି ପୂଜା ବେଶ ଧୁମ୍ ଧାମରେ ପାଳନ କରାଯାଇଥାଏ। ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ଘରର ମହିଳାମାନେ ଏହି ପୂଜା କରିଥାନ୍ତି । ପ୍ରଥମେ ବଡି ଭୋରୁ ସୂର୍ଯ୍ୟଙ୍କୁ ପ୍ରଥମ ଧୂପ ଅର୍ପଣ କରାଯାଇଥାଏ । ଏହାପରେ ବିଭିନ୍ନ ପ୍ରକାରର ପିଠା(ଅଟ୍ଟକାଳି, ଗଇଁଠା, କାକରା, ମଣ୍ଡା, ଛଣା ପିଠା) ଫଳମୂଳ, ସାକର, ଘଣ୍ଟା ତରକାରୀ, ଗଜା ମାଲପୁଆ, ରସଗୋଲା, ଖେଚୁଡି ସହ ପିଠା ପଣା ଆଦି ତିଆରି ହୋଇଥାଏ । ଧୂପ ଦୀପରେ ମଧ୍ୟାହ୍ନ ସୂର୍ଯ୍ୟ ତେଜିଆନ ଭାସ୍କରଙ୍କୁ ପୂଜା କରିଥାନ୍ତି । ଛୁଆଙ୍କ ମଙ୍ଗଳ ମନାସି ମାଆମାନେ ଯାହା ଯାଚିଥାନ୍ତି ସେହିସବୁ ତିଆରି କରି ପୂଜା କରାଯାଇଥାଏ । ଶେଷରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରାଯାଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପୀଡ଼ିତ ଥିଲେ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେ କୋଣାର୍କର ସୂର୍ଯ୍ୟ ମନ୍ଦିରରେ କଠିନ ତପସ୍ୟା କରିଥିଲେ। ଶାମ୍ବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ସୂର୍ଯ୍ୟଦେବ ତାଙ୍କୁ ରୋଗମୁକ୍ତ କରିଥିଲେ। ଯେଉଁ ଦିନଠାରୁ ଶାମ୍ବଙ୍କର କୁଷ୍ଠ ରୋଗ ଭଲ ହୋଇଥିଲା ସେହିଦିନ ଠାରୁ ସେହି ତିଥିକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଉଛି।
ଏହିଦିନ ସୂର୍ଯ୍ୟଙ୍କ ଆକାଶରେ ତିନି ପ୍ରହରର ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟୋଦୟ ସମୟରେ ପ୍ରଥମ ଧୂପ। ଏହି ଦିନ ମହିଳାମାନେ ସକାଳୁ ସ୍ନାନ ସାରି ଶୁଦ୍ଧପୂତ ହୋଇ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ଭୋଗ କରିଥାନ୍ତି । ମଧ୍ୟାହ୍ନରେ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସୂର୍ଯ୍ୟ ଅସ୍ତ ସମୟ। ଏହି ଧୂପରେ ଚକୁଳି, ଏଣ୍ଡୁରି, କାକରା, ମାଲପୁଆ, ଗଜା, ବିରି ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।