Odia News Portal

ଜ୍ୟାକ୍‌ଲିନଙ୍କ ବିରୋଧରେ ମାନହାନି ମୋକଦ୍ଦମା

ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ବଲିଉଡ୍‌ର ସାଥି କଳାକାର ନୋରା ଫତେଇ ସୋମବାର ଜ୍ୟାକ୍‌ଲିନଙ୍କ ବିରୋଧରେ ଏକ ମାନହାନି ମୋକଦ୍ଦମା ଦାଏର କରିଥିବା ଜଣାପଡିଛି । ଜ୍ୟାକ୍‌ଲିନଙ୍କ ବ୍ୟତୀତ ଏହି ମାମଲାରେ ନୋରା ୧୫ଟି ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ଜ୍ୟାକ୍‌ଲିନ ନିଜର ସ୍ୱାର୍ଥରକ୍ଷା କରିବାକୁ ତାଙ୍କ ମର୍ଯ୍ୟାଦା ହାନି କରୁଛନ୍ତି ବୋଲି ନୋରା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ପିଏମଏଲଏ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଜ୍ୟାକ୍‌ଲିନ କହିଛନ୍ତି ଯେ ଉଭୟ ସୁକେଶଙ୍କଠାରୁ ଉପହାର ଗ୍ରହଣ କରିଥିବାବେଳେ ତାଙ୍କୁ (ଜ୍ୟାକ୍‌ଲିନ) କାହିଁକି ଅଭିଯୁକ୍ତ କରାଯାଇଥିବାବେଳେ ନୋରାଙ୍କୁ ସାକ୍ଷୀଭାବେ ଉପସ୍ଥାପନ କରାଯାଉଛି । ସଂପୃକ୍ତ ଗଣମାଧ୍ୟମଗୁଡିକ ମଧ୍ୟ ଘଟଣାର ସତ୍ୟାସତ୍ୟ ଯାଞ୍ଚ ନକରି ଜ୍ୟାକ୍‌ଲିନ ଦେଇଥିବା ମନ୍ତବ୍ୟର ପ୍ରଚାର ଓ ପ୍ରସାର କରୁଥିବା ନୋରା ଅଭିଯୋଗ କରିଛନ୍ତି । ବଲିଉଡ୍‌ରେ ନୋରାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ବିଫଳ ହେଉଥିବାରୁ ଜ୍ୟାକ୍‌ଲିନ ପ୍ରତିଶୋଧ ପରାୟଣ ହୋଇ ଏଭଳି ଅପପ୍ରଚାର ଚଳାଇଥିବା ନୋରା କହିଛନ୍ତି । ଅପରପକ୍ଷରେ ଜ୍ୟାକ୍‌ଲିନଙ୍କ ବିରୋଧରେ ଆଗତ ମାମଲାର ଶୁଣାଣିକୁ ଦିଲ୍ଲୀର ଏକ ଅଦାଲତ ଡିସେମ୍ବର ୨୦କୁ ସ୍ଥଗିତ ରଖିଛନ୍ତି । ଇଡି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଚାର୍ଜସିଟ୍ କପି ଜ୍ୟାକ୍‌ଲିନଙ୍କୁ ମିଳିନଥିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି । ସୂଚନାଯୋଗ୍ୟ କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା ସମ୍ପାଦିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇତିମଧ୍ୟରେ ଉଭୟ ଜ୍ୟାକ୍‌ଲିନ ଓ ନୋରାଙ୍କୁ ଏକାଧିକ ଥର ଜେରା କରିସାରିଛନ୍ତି ।