Odia News Portal

ରାଷ୍ଟ୍ରପତିଙ୍କ ପାଇଁ ୫୫ ପ୍ଲାଟୁନ୍‌ ପୁଲିସ୍‌

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନଜରରେ ରଖି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ୫୫ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯିବ । ଏ ନେଇ ବୁଧବାର କାରକେଡ୍‌ ବ୍ୟବସ୍ଥାର ମକ୍‌ଡ୍ରିଲ୍‌ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ବିମାନ ବନ୍ଦରରୁ ରାଷ୍ଟ୍ରପତି କେମିତି ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ସେ ନେଇ ବୁଧବାର ଦିନତମାମ ଅଭ୍ୟାସ କରାଯିବ । ବ୍ଲ୍ୟୁ-ବୁକ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ ରାଷ୍ଟ୍ରପତି ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବେ ।

୧୦ ତାରିଖ ସକାଳ ସାଢ଼େ ୯ଟାରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ।  ପ୍ରୋଟୋକଲ୍‌ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିବେ । ତା’ପରେ ବିମାନ ବନ୍ଦର ପରିସରରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବ । ସେଠାରୁ ସେ ହେଲିକ୍ୟାପ୍ଟରରେ ପୁରୀ ଯିବେ । ତାଙ୍କ ସାଙ୍ଗରେ ୩ଟି ହେଲିକପ୍ଟର ଯିବ । ପ୍ରଥମ ହେଲିକପ୍ଟରରେ ରହିବେ ସୁରକ୍ଷା କର୍ମୀ, ଦ୍ୱିତୀୟରେ ରାଷ୍ଟ୍ରପତି ଓ ପ୍ରଶାସନିକ ଅଧିକାରୀ ଓ ତୃତୀୟରେ ରାଷ୍ଟ୍ରପତିଙ୍କ ଅନ୍ୟ କର୍ମଚାରୀ ରହିବେ । ଏହି ଭଳି ବ୍ୟବସ୍ଥାରେ ରାଷ୍ଟ୍ରପତି ପୁରୀ ଯିବେ । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପରେ ରାଜଭବନ ଯାଇ ସେଠାରେ ମହାପ୍ରସାଦ ସେବନ କରିବେ । ତା’ପରେ ଭୁବନେଶ୍ୱର ଫେରିବେ । ଭୁବନେଶ୍ୱରରେ ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସହର ସାରା ବୁଲି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବେ । ୧୧ ତାରିଖରେ ଦିନ ତପୋବନ ହାଇସ୍କୁଲ୍‌, ୟୁନିଟ୍‌-୨ ହାଇସ୍କୁଲ୍‌ ଓ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ତା’ପରେ ସେଠାରୁ ବିମାନବନ୍ଦର ଯାଇ ସେଠାରୁ ବିମାନରେ ଝାଡ଼ଖଣ୍ଡ ଯିବେ ।

ସେପଟେ   ଆଜି ଅଭ୍ୟାସ ସମୟରେ ୨୮ ଗାଡ଼ି ବ୍ୟବହାର କରାଯିବ ।  ରାଷ୍ଟ୍ରପତି ଯିବା ସମୟରେ, ପ୍ରଥମେ ୱାର୍ଣିଂ କାର, ତାପରେ ଟେକ୍‌ନୋ କାର (ଜାମର), ପାଇଲ୍ଟ୍‌ କାର, ଭିଆଇପି କାର, ଏସ୍କର୍ଟ୍‌ ୱାନ୍‌ (ରାଷ୍ଟପତିଙ୍କ ନିଜସ୍ୱ ସୁରକ୍ଷାକର୍ମୀ), ଏସ୍କର୍ଟ ୨ରେ (ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ), ତା’ପଛରେ କାର୍‌ ୱାନ୍‌, କାର୍‌  ଟୁ, କାର୍‌ ଥ୍ରୀ….. କାର୍‌ ଟ୍ୱେଣ୍ଟି ପର୍ଯ୍ୟନ୍ତ ରହିବ । ଏ ସବୁ ଗାଡ଼ିରେ ରାଷ୍ଟ୍ରପତିଙ୍କ ପିଅନ, ଫଟୋଗ୍ରାଫର ଓ ପ୍ରଶାସନିକ ଅଧିକାରୀ ଯିବେ । ତା’ପଛକୁ ଆମ୍ୱୁଲାନ୍ସ, ଅଗ୍ନିଶମ ଗାଡ଼ି, ସ୍ପୋୟାର କାର୍‌ ଯିବ । ତା’ ଛଡା ରାଷ୍ଟ୍ରପତି କୌଣସି ସ୍ଥାନକୁ ଯିବା ସମୟରେ ତାଙ୍କୁ ବକ୍ସ୍‌ ପାର୍ଟନ୍‌ ସିକ୍ୟୁରିଟିରେ ନିଆଯିବ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆଗ-ପଛରେ ଓ ଡାହାଣ – ବାମ କାର୍‌ ବ୍ୟବସ୍ଥାକୁ ବକ୍ସ ପାର୍ଟନ୍‌ ସିକ୍ୟୁରିଟି କୁହାଯାଏ ।