Odia News Portal

ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ଲେଇଂ ଇଲେଭେନ୍‌ ଅଦଳବଦଳ କରିପାରେ ଭାରତ

ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ପରେ ଗୁରୁବାର ନେଦରଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଦ୍ବିତୀୟ ମୁକାବିଲା ଥିବାବେଳେ ପୂରାପୂରି ଭାବେ ପ୍ରସ୍ତୁତ ରୋହିତ ବାହିନୀ । ଆଜି ଦିନ ୧୨.୩୦ରେ ସିଡନୀରେ ଖେଳାଯିବ ଏହି ମୁକାବିଲା । ତେବେ ନେଦରଲାଣ୍ଡ ବିପକ୍ଷ ମ୍ୟାଚରୁ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ଭାରତ ।

ସୁପର୍‌ ୧୨ରେ ଭାରତ ମୋଟ ୫ଟି ମୁକାବିଲା ଖେଳିବ । ଟିମ୍‌ ଫାଇନାଲ ଖେଳିବା ପାଇଁ ପ୍ରବଳ ଦାବିଦାର ଥିବାରୁ ଅତିରିକ୍ତ ଦୁଇଟି ମ୍ୟାଚ୍‌ ଖେଳିପାରେ । ତେଣୁ ଏଭଳି ସ୍ଥିତିରେ ଦଳର ପ୍ରମୁଖ ଖେଳାଳି ଯେପରି ଆହତ ନହୁଅନ୍ତି ସେଥିପାଇଁ ଦୁର୍ବଳ ଟିମ୍‌ ବିରୁଦ୍ଧରେ ବିଶ୍ରାମ ଦିଆଯାଇପାରେ । ଏପରି ସ୍ଥିତିରେ ରୋହିତ ଶର୍ମା ତାଙ୍କର ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରୁଥାଇପାରନ୍ତି ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ଋଷଭ ପନ୍ତ, ହର୍ଷଲ ପଟେଲ, ଯୁଜବେନ୍ଦ୍ର ଚହଲ ଏବଂ ଦୀପକ ହୁଡ୍ଡାଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ମିଳିନଥିଲା । ଏମାନଙ୍କ ମଧ୍ୟରୁ ଆଜି ୩ ଜଣଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା । ହର୍ଷଲ ପଟେଲଙ୍କୁ ସୁଯୋଗ ମିଳିପାରେ । ଯାହା ଦ୍ବାରା କି ସେ ଅଷ୍ଟ୍ରେଲିଆ ମାଟିରେ ନିଜକୁ ଖାପ୍‌ ଖୁଆଇପାରିବେ । ଭୁବନେଶ୍ବର କୁମାର କିମ୍ବା ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯାଇ ହର୍ଷଲ ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯାଇପାରେ । ସେହିଭଳି ଟୁର୍ଣ୍ଣାମେଣ୍ଟରେ ଋଷଭ ପନ୍ତଙ୍କ ଆତ୍ମବିଶ୍ବାସ ବଢାଇବା ପାଇଁ ତାଙ୍କୁ ଚାନ୍ସ ଦେଇପାରେ ମ୍ୟାନେଜମେଣ୍ଟ । ଦିନେଶ କାର୍ତ୍ତିକ କିମ୍ବା ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣଙ୍କୁ ଯଦି ବିଶ୍ରାମ ଦିଆଯାଏ ତେବେ ପନ୍ତ ଖେଳିବା ଏକ ପ୍ରକାର ନିଶ୍ଚିତ । ଦିନେଶ କାର୍ତ୍ତିକ ଫର୍ମକୁ ଫେରି ଦଳରେ ସାମିଲ ହେବା ପରଠାରୁ ପନ୍ତ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଛନ୍ତି ।

ସେହିଭଳି ଦଳରେ ତୃତୀୟ ଅଦଳବଦଳ ସ୍ପିନ୍‌ ରୂପରେ ହୋଇପାରେ । ଅକ୍ଷର ପଟେଲ କିମ୍ବା ରବିଚନ୍ଦ୍ରନ ଅଶ୍ବିନଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ଯୁଜବେନ୍ଦ୍ର ଚହଲଙ୍କୁ ମୌକା ମିଳିପାରେ । ପାକିସ୍ତାନ ବିପକ୍ଷରେ ଉଭୟ ଓ୍ବିକେଟ ନେବାରୁ ବଞ୍ଚିତ ହୋଇଥିଲେ । ଅକ୍ଷର ପଟେଲ ମାତ୍ର ଗୋଟିଏ ଓଭର ବୋଲିଂକରି ୨୧ ରନ ବ୍ୟୟ କରିଥିବା ବେଳେ ଅଶ୍ବିନ ୩ ଓଭରରେ ୨୩ ରନ ଦେଇଥିଲେ । ତେଣୁ ଯଦି ଚହଲଙ୍କୁ ସୁଯୋଗ ମିଳେ ତେବେ ସିଡନୀ ଭଳି ବଡ ଗ୍ରାଉଣ୍ଡରେ ତାଙ୍କୁ ଫାଇଦା ମିଳିପାରେ ।