ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଦେଖାଦେଇଛି ଛାତ୍ର ଅଶାନ୍ତି l ଚଳିତ ବର୍ଷ ହେବ ନାହିଁ ପ୍ରତିବର୍ଷ ପିଏଚଡି ପାଇଁ ହେଉଥିବା URET ପରୀକ୍ଷା l ଏହାକୁ ନେଇ ଶହ ଶହ ଛାତ୍ରଛାତ୍ରୀଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି l ପିଏଚଡ଼ି ପାଇଁ ବାହାରିଥିବା ବିଜ୍ଞପ୍ତିକୁ ସଂଶୋଧନ ପୂର୍ବକ, ପ୍ରତିବର୍ଷ ଭଳି URET ପରୀକ୍ଷା କରିବାକୁ ଦାବି ହୋଇଛି l ଏ ନେଇ ଏକ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ଛାତ୍ର ନେତାମାନେ l ଏପରିକି ଇ-ମେଲ ଯୋଗେ ରାଜ୍ୟପାଳ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଆଦିଙ୍କୁ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି l ତୁରନ୍ତ URET ପାଇଁ ବିଜ୍ଞପ୍ତି ପ୍ରକାଶ ନ କଲେ ଆନ୍ଦୋଳନ କରିବାକୁ ଛାତ୍ରଛାତ୍ରୀ ସଜବାଜ ହେଉଥିବା ସୂଚନା ମିଳିଛି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୂଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦେଶ କ୍ରମେ ଡେପୁଟି ବା ଉପ ପରୀକ୍ଷା ନିୟନ୍ତ୍ରକ ପିଏଚଡି ପାଇଁ ବିଜ୍ଞପ୍ତି ବାହାର କରିଛନ୍ତି l ଏଥିରେ ପିଏଚଡ଼ି ପାଇଁ କେବଳ ନିର୍ଦ୍ଧିଷ୍ଟ ଛାତ୍ରଛାତ୍ରୀ ଯଥା ୟୁଜିସ ନେଟ କିମ୍ବା ଜାତୀୟ ସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ହିଁ ଆବେଦନ କରିପାରିବେ l ଏଭଳି ନିଷ୍ପତି ଅନ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ ହୋଇଛି l ଓଡିଶାର ସମସ୍ତ ବିଶ୍ଵବିଦ୍ୟାଳୟ,ଏପରିକି ଜାତୀୟ ସ୍ତରୀୟ ବିଶ୍ଵବିଦ୍ୟାଳୟ ମାନଙ୍କରେ URET (University Research Entrance Test) ପରୀକ୍ଷା ହେଉଛି l ଯେଉଁଥିରେ ସ୍ନାତ୍ତକୋତ୍ତର ସମାପ୍ତ କରିଥିବା ଛାତ୍ରଛାତ୍ରୀ ଏବଂ ସ୍ୱତନ୍ତ୍ର ଜାତୀୟ ସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ସାମିଲ ହୋଇପାରୁଛନ୍ତି l କିନ୍ତୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ପିଏଚଡ଼ି ପାଇଁ URET ନ କରିବା ଏବଂ ନିର୍ଦ୍ଧିଷ୍ଟ ଛାତ୍ରଛାତ୍ରୀଙ୍କୁ ଆବେଦନ ପାଇଁ ସୁଯୋଗ ଦେବାକୁ ନେଇ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଗଭୀର ଭାବେ ମର୍ମାହତ କରିଛି l ପ୍ରତିବର୍ଷ ପିଏଚଡ଼ି ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିଜସ୍ୱ URET କରିଥାଏ l ଯେଉଁଥିରେ ସବୁ ବର୍ଗର ଛାତ୍ରଛାତ୍ରୀ ସାମିଲ ହୋଇପାରୁଥିଲେ l URET ରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀ ମୌଖିକ ପରୀକ୍ଷା (viva Voce) ପାଇଁ ମନୋନୀତ ହୋଇଥାନ୍ତି l ଜାତୀୟ ସ୍ତରୀୟ ପରୀକ୍ଷା ଯଥା -UGC-NET,CSIR-NET,GATE ଆଦିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ URET ନ ଦେଇ ସିଧାସଳଖ ମୌଖିକ ପରୀକ୍ଷା ପାଇଁ ମନୋନୀତ ହୋଇଥାନ୍ତି l ପରେ ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ତଥା କଟ ଅଫ ମାର୍କ ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଆଡମିଶନ ପାଇଁ ହୋଇଥାନ୍ତି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ବା ପିଜି ପାଠପଢ଼ା ସାରି ଗବେଷଣା ପାଇଁ ଇଛୁକ ଥିବା ଛାତ୍ରଛାତ୍ରୀ URET ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ଏକପାଖିଆ ନିଷ୍ପତି ପୂର୍ବକ ବିଜ୍ଞପ୍ତି ବାହାର କରିବାକୁ ନିନ୍ଦା କରିଛନ୍ତି ଛାତ୍ରଛାତ୍ରୀ,ବିଶ୍ଵବିଦ୍ୟାଳୟ ଅନେକ ପ୍ରଫେସର ଏବଂ କର୍ମଚାରୀ l ତରବରିଆ ଭାବେ କାହା ସ୍ୱାର୍ଥରେ,ସ୍ନାତ୍ତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କ ପରିବର୍ତ୍ତେ ଉପ ପରୀକ୍ଷା ନିୟନ୍ତ୍ରକ ବିଜ୍ଞପ୍ତି ପ୍ରକାଶ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି l ଏପରିକି ଏହି ବିଜ୍ଞପ୍ତି ବାହାରିବା ପୂର୍ବରୁ ଆଡ଼ମିଶନ କମିଟି ସହ କୌଣସି ପରାମର୍ଶ ନିଆଯାଇନଥିବା ସୂଚନା ମିଳିଛି l ପ୍ରତିବର୍ଷ ଭଳି URET କରି ସମସ୍ତ ବର୍ଗ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ l ତୁରନ୍ତ ପିଏଚଡ଼ି ବିଜ୍ଞପ୍ତିରେ ସଂଶୋଧନ ପୂର୍ବକ URET ନ କଲେ ଛାତ୍ରଛାତ୍ରୀ ଆନ୍ଦୋଳନାତ୍ମକ ପନ୍ଥାଗ୍ରହଣ କରିବେ ବୋଲି କହିଛନ୍ତି l ତେଣୁ ସବୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ତୁରନ୍ତ କୁଳପତି ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି l