ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ପରିଦର୍ଶନ କରି, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ମା’ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ୟ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ।
ଉଭୟ ଭିସୁଟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହାପରେ ଭିସୁଟର ବିକାଶ ପାଇଁ ହଜାରେ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହା ସହିତ କ୍ୟାମ୍ପସ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଜମି ଦେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଖୁବଶୀଘ୍ର ଭିସୁଟ ସେଣ୍ଟର ଅଫ ଏକ୍ସିଲେନ୍ସରେ ପରିଣତ ହେବ ବୋଲି ମଧ୍ୟ ସେ କହିଛନ୍ତି ।
ମୁଖ୍ୟଶାସନ ସଚିବ ଆହୁରି କହିଛନ୍ତି ଯେ, ଭିସୁଟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ହଜାରରୁ ୧୦ହଜାରକୁ ବୃଦ୍ଧି କରାଯିବାକୁ ଯୋଜନା ରହିଛି । ଏହା ସହିତ ଆହୁରି ୮୦ଏକର ଜମି ମଧ୍ୟ ଭିସୁଟକୁ ମିଳିବ । ସମଲେଇ ମନ୍ଦିର ଖୁବଶିଘ୍ର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ । ଉଚ୍ଛେଦ ହେଉଥିବା ଆଉ କିଛି ଘର ସ୍ଥାନାନ୍ତର ବାକି ରହିଛି । ଏହା ମଧ୍ୟ ଜଲଦି ସରିଯିବ । ସେହିଭଳି ହୀରାକୁଦ ବନ୍ଧରେ ଫାଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ସର୍ଭେ ଏକ ରୁଟିନ୍ ପ୍ରକ୍ରିୟା । ଡ୍ୟାମ୍ ସୁରକ୍ଷା ବିଭାଗ ଏହାର ତଦାରଖ କରିଥାଏ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।