ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଏବେବି ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ପ୍ରଭାବିତ ହୋଇଛି । ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡ ଝାଡ଼ଖଣ୍ଡ ଅଞ୍ଚଳରେ ଲଘୁଚାପ ଜନିତ ଭୀଷଣ ବର୍ଷା ପରେ ନଦୀର ଜଳପତନ ବଢିବା ସହିତ ଉପର ମୁଣ୍ଡରେ ଥିବା ଝାଡ଼ଖଣ୍ଡସ୍ଥିତ ଗାଲୁଡ଼ିହ ବ୍ୟାରେଜର ୧୮ ଗେଟ ଖୋଲି ୬ଲକ୍ଷ କ୍ୟୁସେକ ପାଣି ଛାଡ଼ିବା ପରେ ସୁବର୍ଣ୍ଣରେଖା ନଦୀରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀରେ ୨୦୦୮ ମସିହାରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ସମୟରେ ଜଳ ପତନ ୧୨.୬୯ ମିଟର ଥିବା ରେକର୍ଡ ରହିଛି । ଚଳିତ ବନ୍ୟାରେ ବହୁ ଅଧିକା ପାଣି ଆସିଥିବାରୁ ତଳିଆ ଅଞ୍ଚଳରେ ବହୁ ଗାଁ କ୍ଷତିଗ୍ରସ୍ତ ହୋଇଥିବାର ଜଣାଯାଇଛି । ଏହି ବନ୍ୟା ଦ୍ୱାରା ୭୪ଗ୍ରାମ ପଞ୍ଚାୟତର ୧୪୭ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୪୦,୧୨୪ ଲୋକଙ୍କୁ ୨୦୮ଟି ବାତ୍ୟାସ୍ଥଳୀ ଓ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।
୧୮୭ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଛି । ୪୦ ଉଦ୍ଧାରକାରୀ ଦଳ ବହୁ ପ୍ରଶାସନିକ ଅଧିକାରୀଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଥିବା ବେଳେ ସୁଖିଲା ଖାଦ୍ୟ ସହିତ ଔଷଧ ପ୍ରଦାନ କରାଯାଇଛି । ବିଭିନ୍ନ ଜାଗାରେ ରନ୍ଧା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଛି ବୋଲି ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରେୟ ଭାଓ ସାହେବ ସିଦ୍ଧେ ସୂଚନା ଦେଇଛନ୍ତି । ନଦୀର ଜଳ ୨୨ତାରିଖ ଦିନ ୧୨ଟା ପରେ ଧୀରେଧୀରେ କମୁଥିବା ବେଳେ ସନ୍ଧ୍ୟା ୭ଟା ସମୟରେ ବିପଦ ସଂକେତ ଉପରେ, ଅର୍ଥାତ୍ ୧୧.୪୨ ମିଟରରେ ଜଳ ପ୍ରବାହିତ ହେଉଥିବାର ଜଣାଯାଇଛି । ଜଳେଶ୍ୱର ମ୍ୟୁନିସିପାଲିଟିର ୭ନଂ ୱାର୍ଡରେ ବନ୍ୟାପାଣି ପଶିଥିବା ବେଳେ ଜଳେଶ୍ୱର ବ୍ଲକର ଖୁଦିଆ ମାଝୀସାହି ପଞ୍ଚାୟତର ତୁଟାପଡା ଗ୍ରାମ ନିକଟରେ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା ।
ଚମାରଗାଁ, ଲକ୍ଷ୍ମଣନାଥ ପଞ୍ଚାୟତର ବିରେଶପୁର, ଶିଖରପୁର, ଚାଫଲା, ତରିବତପୁର, ଚାଲଫି, ଶେଖସରାଇ, କାଦରାୟାଁ, ରାୟାରାମଚନ୍ଦ୍ରପୁର, କାଳିକାପୁର, ପଶ୍ଚିମବାଡ, ଦେବକୁମାର, ବିଷ୍ଣୁପୁର ଗ୍ରାମରେ ବନ୍ୟାପାଣି ପଶିବା ସହିତ ବହୁ ଅଂଚଳ ବନ୍ୟାପାଣି ଘେରରେ ରହିଥିବା ଜଣାଯାଇଛି । ସରକାରଙ୍କ ତରଫରୁ ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଅଞ୍ଚଳରେ ସମସ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ କର୍ମକର୍ତ୍ତା ସଜାଗ ରହିଛନ୍ତି । ପାନୀୟ ଜଳର ସୁବିଧା ତଥା ବିଭିନ୍ନ ରୋଗର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ଜଲ୍ଲାପାଳ ଜଣାଇଛନ୍ତି ।