ସୁଇସାଇଡ ନୋଟରେ ଲେଖିଦେଲେ ମୃତ୍ୟୁର କଥା । ସେ ଲେଖିଛନ୍ତି , ‘ମୁଁ ଆଜି ମରିବା ପାଇଁ ଯାଉଛି। ହୁଏତ ମୁଁ ଏପର୍ୟ୍ୟନ୍ତ ମରି ହିଁ ଯାଇଛି। ମୁଁ ସମସ୍ତଙ୍କୁ କଷ୍ଟ ଦେଇଛି। ମୋତେ କ୍ଷମା କରିଦେବ । ମୋ ମରିବା ପଛରେ କାହାରି ହାତ ନାହିଁ। ମୋର ବଞ୍ଚିବା ପାଇଁ ଇଚ୍ଛା ନାହିଁ । ମୁଁ କେବଳ ଏହି ଦୁନିଆ ଛାଡ଼ି ଚାଲିଯିବା ପାଇଁ ଚାହେଁ। ଦୟାକରି କିଛି ଖୋଳତାଡ଼ କରନାହିଁ।’ ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ କଲୋନୀରେ ରହୁଥିବା ୨୬ ବର୍ଷୀୟା କ୍ରୀଡା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସ ଆତ୍ମହତ୍ୟା କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଁଚି ସୁଇସାଇଡାଲ ନୋଟ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।ତେବେ ଶିକ୍ଷୟିତ୍ରୀ ଙ୍କ ମୃତ୍ୟୁର କାରଣ ଏବେ ରହସ୍ୟ ଘେରରେ । ସ୍ଥାନୀୟ ଜାମରୁଣ୍ଡା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୩ ବର୍ଷ ହେବ କ୍ରୀଡା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା। ଏହାପରେ ଗତକାଲି ପୈତୃକ ଗାଁରେ ତାଙ୍କ ମୃତଦେହ ସତ୍କାର କରାଯାଇଛି। । ନିଜ ସୁଇସାଇଡ୍ ନୋଟରେ ତନୁଜା କାହାକୁ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରି ନ ଥିବା କହିଛି ପୁଲିସ୍।