Odia News Portal

ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ସ୍ତ୍ରୀର ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟିଲା ସ୍ୱାମୀ । ସାତ ଜନ୍ମର ସାଥି ହେବା କଥା ଦେଇ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇଲା ନାହିଁ । ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ବୁଡୁରିକିଆ ଗ୍ରାମରୁ । ଅଭାବନୀୟ କାଣ୍ଡ ଭିଆଇ ସ୍ୱାମୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଖବରଅନୁସାରେ, ବାରଖମା ସୁଡୁମିଲା ଗ୍ରାମର ମଣ୍ଟୁ ମଲ୍ଲିକ ବୁଡୁରିକିଆର ବିସ୍ମିତା ମଲ୍ଲିକଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଏଥିରେ ବିସ୍ମିତା ଅତିଷ୍ଠ ହୋଇ ବାପ ଘରକୁ ଚାଲି ଆସିଥିଲେ । ଗତକାଲି(ଗୁରୁବାର) ମଣ୍ଟୁ ଶ୍ୱଶୁର ଘରକୁ ଯାଇ ଏଭଳି କାଣ୍ଡ ଭିଆଇଥିଲା । ସକାଳ ସମୟରେ ଶ୍ୱଶୁର ଘରେ କେହି ନ ଥିବା ସୁଯୋଗ ନେଇ ଏକ ମାରଣାସ୍ତ୍ରରେ ସ୍ତ୍ରୀର ବେକକୁ କାଟି ଦେଇଥିଲେ । ପଡ଼ିଶା ଲୋକେ ପାଟି ଶୁଣି ଦୌଡ଼ି ଆସିବାରୁ ମଣ୍ଟୁ ସେଠାରୁ ଫେରାର ହୋଇ ଯାଇଥିଲେ । ତଳେ ପଡି ଛଟପଟ ହେଉଥିବା ବିସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ବିସ୍ମିତାଙ୍କ ପରିବାର ଲୋକେ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।