ଆସନ୍ତାକାଲି ମହାପ୍ରଭୁଙ୍କ ନବଯୈାବନ ଦର୍ଶନ । ନବଯୈାବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ଟାରି ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ପରେ ସକାଳ ୯ ଟାରୁ ୧୦ ଟା ୩୦ ଯାଏଁ ସର୍ବ ସାଧାରଣ ଦର୍ଶନ ।ଦିନ ୨ଟାରୁ ୩ଟା ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏଁ ସର୍ବ ସାଧାରଣ ଦର୍ଶନ । ରାତି ୯ ଟାରୁ ୧୦ଟା ୩୦ ଓ ରାତି ସାଢେ ୧୧ଟାରୁ ୧୨ ଟା ଯାଏଁ ଦର୍ଶନ । ବିଶେଷ ନୀତି ପାଇଁ ସକାଳ ସାଢେ ୧୦ରୁ ଦିନ ୨ଟା ୩ଟାରୁ ୬ଟା ଯାଏଁ ଦର୍ଶନ ବନ୍ଦ । ସାଢେ ୬ଟାରୁ ରାତି ୯ଟା ଓ ରାତି ସାଢେ ୧୦ରୁ ସାଢେ ୧୧ ଦର୍ଶନ ବନ୍ଦ ।
ଦେବସ୍ନାନ ପୂଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ଶ୍ରୀଜିଉ ଅସୁସ୍ଥ ହୋଇପଡ଼ିଥିବା ବେଳେ ଦଇତାପତି ସେବକମାନଙ୍କ ସେବା ଶୁଶ୍ରୂଷା ଯୋଗୁଁ ଏବେ ସୁସ୍ଥ ହୋଇଛନ୍ତି । ଶ୍ରୀଜିଉଙ୍କ ସୁସ୍ଥତାର ସୁସମ୍ବାଦ ଦଇତାପତି ସେବାୟତମାନେ ଆଜି ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଦେଇଥିଲେ ଏବଂ ଅଣସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ କରିଥିଲେ । ଏଥିସହ ଆଗାମୀ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ସମାପନ ହେବ ସେନେଇ ଦଇତାପତିମାନେ ଗଜପତିଙ୍କ ସହ ଆଲୋଚନା କରିଥିଲେ । ଅନବସରର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଏହି କାର୍ୟ୍ୟ ସମ୍ପାଦିତ ହୋଇଥିଲା ।
ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରାଜପ୍ରସାଦ ବିଜେ ନୀତି । ବର୍ଷତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟଡ଼ୋର ସହ ଅଣସର ସମୟରେ ଲାଗି ହୋଇଥିବା ଚନ୍ଦନ, କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତାପତି ଓ ପତିମହାପାତ୍ର ସେବାୟତମାନେ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ସେମାନେ ଶ୍ରୀନହରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରିଥିଲେ ।
ଏହାପରେ ଶ୍ରୀନହରରେ ରାଜ ପୁରୋହିତଙ୍କ ଦ୍ୱାରା ଦଇତାପତି ସେବାୟତମାନଙ୍କୁ ଶାଢ଼ୀବନ୍ଧା ଯାଇଥିଲା । ପଞ୍ଚମୀ ତିଥିରେ ଫୁଲୁରି ତେଲ, ଷଷ୍ଠୀରୁ ନବମୀ ପର୍ୟ୍ୟନ୍ତ ଓଷ ଲାଗି, ଦଶମୀରେ ଚକାବିଜେ, ଦଶମୂଳମୋଦକ ଓ ଚନ୍ଦନ ଲାଗି ପରେ ମହାପ୍ରଭୁ ସଂପୁର୍ଣ୍ଣ ସୁସ୍ଥ ହୋଇଛନ୍ତି । ୧୫ ଦିନ ଧରି ମହାପ୍ରଭୁଙ୍କ ଏହି ଗୁପ୍ତସେବାର ପୂଜା ଚାଲିଛି । ସୁସ୍ଥ ହେବା ପରେ ଏବେ ମହାପ୍ରଭୁଙ୍କୁ ଘଣାଲାଗି ଓ ବନକ ଲାଗି କରାଯିବ । ଆସନ୍ତା ୨୯ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସୂଚନା ଅନୁଯାଇ ସୁନା କୂଅରୁ ଆଜି ସନ୍ଧ୍ୟାଧୂପ ପରେ ସୁଦ୍ଧସୁଆରଙ୍କ ଘରକୁ ତିନିଗରା ଜଳ ଯିବ । ଆସନ୍ତାକାଲି ସୁଦ୍ଧସୁଆରଙ୍କ ଘରୁ ପ୍ରସ୍ତୁତ ଦିବ୍ୟ ପ୍ରଲେପ ଖଡ଼ି ଶ୍ରୀମନ୍ଦିରକୁ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ବିଜେ କରାଯାଇ ମହାପ୍ରଭୁଙ୍କୁ ଲାଗି କରାଯିବ ।