ଆଜି ପବିତ୍ର ଉତ୍କଳ ଦିବସ । ଆଜି ପ୍ରତ୍ୟେକଟି ଓଡିଆ ଗର୍ବ ଅନୁଭବ କରୁଥିବେ ନିଶ୍ଚୟ। ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳିବ। ତେବେ ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅପ୍ରେଲ ୧କୁ ‘ଉତ୍କଳ ଦିବସ’ ରୂପେ ପାଳନ କରାଯାଏ। ଅତୀତର ସେନାନାୟକଙ୍କ ଅବଦାନକୁ ମନେପକାଇବା ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି।
ଓଡ଼ିଶାକୁ ନେଇ ସବୁ ଓଡ଼ିଆ ଗର୍ବିତ। ଆଜିର ଓଡ଼ିଶା ଇଂରେଜ ଶାସନ ସମୟରେ ସଂପୂର୍ଣ୍ଣ ଭିନ୍ନ ଥିଲା। ଇଂରେଜମାନେ ଓଡ଼ିଶାକୁ ଭାଗଭାଗ କରି ମାଡ୍ରାସ, ମଧ୍ୟପ୍ରଦେଶ, ବିହାର ଓ ବଙ୍ଗରେ ମିଶାଇ ଦେଇଥିଲେ। ୧୮୬୬ ଦୁର୍ଭିକ୍ଷ ପରେ ଓଡ଼ିଆଙ୍କ ପାଇଁ ପଡ଼ିଥିଲା ଆନ୍ଦୋଳନର ମୂଳଦୁଆ। ଭାଷା ଉପରେ ବିପଦ ସୃଷ୍ଟି ଆଶଙ୍କା ପରେ ମଧୁସୁଦନ ଦାସ, ଗୌରୀଶଙ୍କର ରାୟ, ଫକୀର ମୋହନ ସେନାପତି ଓ ରାଧାନାଥ ରାୟଙ୍କ ପରି ମନୀଷୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ଆନ୍ଦୋଳନ।
୧୮୭୫ରେ ବାଲେଶ୍ୱର ରାଜା ଶ୍ୟାମାନନ୍ଦ ଦେ ଓ ୧୮୮୫ରେ ମଧୁସୂଦନ ଦାସ ବିକ୍ଷିପ୍ତ ଓଡ଼ିଆ ଭାଷାଭାଷୀଙ୍କୁ ଏକାଠି କରି ରାଜ୍ୟ ଗଠନ କରିବାକୁ ତତ୍କାଳୀନ ସରକାରଙ୍କୁ ଲେଖିଥିଲେ ଚିଠି। ସେତେବେଳେ ସମ୍ବଲପୁର ଥିଲା ସେଣ୍ଟ୍ରାଲ ପ୍ରୋଭିନ୍ସରେ। ୧୮୯୫ ଜାନୁଆରୀ ୧୫ରେ ଓଡ଼ିଆ ବଦଳରେ ହିନ୍ଦୀ ବ୍ୟବହାର ପାଇଁ କୁହାଗଲା। ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ଓଡ଼ିଆ। ୧୯୦୨ରେ ବାଲେଶ୍ୱର ରାଜା ବୈକୁଣ୍ଠନାଥ ଦେ, ଭାଇସରଏ ଲର୍ଡ କର୍ଜନଙ୍କୁ ଚିଠି ଲେଖି ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ରାଜ୍ୟର ଦାବି କରିଥିଲେ।
ତା ପୂର୍ବରୁ ୧୯୦୦ ମସିହାରେ ସିମଲା ଯାଇ ଭାଇସରଏଙ୍କୁ ସାକ୍ଷାତ କରିଥିଲେ ମଧୁସୂଦନ ଦାସ ବହୁ ଦାବି ପରେ ୧୯୦୫ରେ ସମ୍ବଲପୁର ଓ ଆଖପାଖ ଅଂଚଳ ଓଡ଼ିଶା ଡିଭିଜନରେ ସାମିଲ ହେଲା। ବଙ୍ଗବିଭାଜନ ପ୍ରତ୍ୟାହାର ପରେ ୧୯୧୨ରେ ବିହାର ଓଡ଼ିଶା ପ୍ରୋଭିନ୍ସର ଗଠନ ହୋଇଥିଲା। ଯାହାକୁ ବିରୋଧ କରିଥିଲେ ଓଡ଼ିଆ। ଗଞ୍ଜାମ ରହିଥିଲା ମାଡ୍ରାସ ପ୍ରେସିଡେନ୍ସୀ ଅଧିନରେ।