ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା। ଏବେ ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡନାଚ ଦେଖାଉଛନ୍ତି। ଆଗକୁ ଆସୁଛି ମହାବିଷୁବ ସଂକ୍ରାନ୍ତି। ପରମ୍ପରା ଅନୁଯାୟର ଏହି ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ ଅବା ୧୩ ଦିନ ପୂର୍ବରୁ ପ୍ରତିଟି ସ୍ଥାନରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଦେଖିବାକୁ ମିଳେ। ପ୍ରତି ଅଞ୍ଚଳର ଦଣ୍ଡୁଆ ଦଳ ନିଜ ନିଜ ସ୍ଥାନର କାଳୀମନ୍ଦିରରେ ପୂଜାର୍ଚ୍ଚନା କରି ବାହାରିଥାନ୍ତି। ସଂକ୍ରାନ୍ତି ଦିନ ସେହି ମନ୍ଦିରକୁ ପୁଣିଥରେ ଫେରିଥାନ୍ତି। ନୀତିକାନ୍ତି ପ୍ରକାରେ ଯାତ୍ରା ଉଦଯାପିତ କରିଥାନ୍ତି।
ଦଣ୍ଡୁଆ ମାନେ ପ୍ରତିଦିନ ଅତ୍ୟନ୍ତ ନିଷ୍ଠାର ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ଖେଳିଥାନ୍ତି। ତେବେ ଏହାରି ମଧ୍ୟରେ ଏବେ ଦଣ୍ଡୁଆ ମାନଙ୍କ ଢ଼ୋଲ, ମହୁରୀ ଓ ନାଚଗୀତରେ କମ୍ପି ଉଠୁଛି ସାରା ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାର ବହୁ ପୁରାତନ ପରମ୍ପରା ହେଉଛି ଏହି ଦଣ୍ଡ ନାଚ। ମୁନି ଋଷିଙ୍କ ହଟଯୋଗ ପରମ୍ପରାରୁ ସୃଷ୍ଟି ଏହି ଦଣ୍ଡଯାତ୍ରା। ଏହି ସମୟରେ ନିଜ ଶରୀରକୁ ପୀଡ଼ା ଦେଇ ମାନସିକଧାରୀ ମାନେ ମୁନିଋଷି ରୂପେ ଜୀବନ ଧାରଣ କରିଥାନ୍ତି। ଅନ୍ୟପଟେ ଏହି ବ୍ରତକୁ ନେଇ ବହୁଜଣଙ୍କର ବିଶ୍ୱାସ ମଧ୍ୟ ରହିଛି।
ଦିିନ ସମୟରେ ଦଣ୍ଡ ନାଚ କରିବା ପରେ ରାତିରେ ମନୋରଞ୍ଜନ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଦିନରେ ମାନସିକ ଧାରୀ ଭକ୍ତଙ୍କ ଘର ସମ୍ମୁଖରେ ଦଣ୍ଡୁଆ ମାନେ ପାଣି ଢ଼ାଳି ଧୂଳି ଦଣ୍ଡ ପରିବେଷଣ କରିଥାନ୍ତି। ପରେ ଜଳାଶୟରେ ପାଣି ଦଣ୍ଡ କରିଥାନ୍ତି। ପରମ୍ପରା ଅନୁଯାୟୀ ରାତିରେ ପାଟଭକ୍ତ ପରଭା ଧରି କାଳିସୀ ନୃତ୍ୟ ପରିବେଷଣ କରିବା ପରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
ଗଞ୍ଜାମ ଜିଲ୍ଲାର ଐତିହାସିକ ଓ ଆଧ୍ୟାତ୍ମିକ ଲୋକ ନୃତ୍ୟ କହିଲେ ଦଣ୍ଡନାଚକୁ ବୁଝାଏ। ପ୍ରତିବର୍ଷ ଏହି ପର୍ବକୁ ଖୁବ ଧୂମଧାମରେ ପାଳନ କରାଯାଏ। ଏହିଚ ପୂଜାରେ ଶିବ ଓ କାଳୀଙ୍କୁ ଏକାଠି ପୂଜା କରାଯାଏ ।କୋଭିଡ ପାଇଁ ବିଗତ ୩ ବର୍ଷ ହେଲା ସର୍ବସାଧାରଣରେ ସାମୂହିକ ଦଣ୍ଡଯାତ୍ରା ପରିବେଷଣ ଉପରେ କଟକଣା ଲାଗୁଥିଲା। ଚଳିତ ବର୍ଷ କୋଭିଡ଼ ନିୟମକୁ ମାନି ଏହାକୁ ପାଳନ କରାଯାଉଛି। ଜିଲ୍ଲାର ଏହା ପ୍ରସିଦ୍ଧ ଲୋକ ନୃତ୍ୟ।