ଆଉ ଦିନକ ପରେ ହୋଲି । ଫଗୁଣର ରଙ୍ଗ ପେଡ଼ି ଖୋଲି, ସାରା ଦେଶକୁ ରଙ୍ଗରେ ଭିଜେଇବ ଏ ଉତ୍ସବ। ଚାରିଆଡ଼େ ଏଥିପାଇଁ ଉତ୍ସବର ମାହୋଲ । ଇନ୍ଦ୍ରଧନୁର ସପ୍ତରଙ୍ଗରେ ମତୁଆଲା ହେବାକୁ ଏବେ ଚାଲିଛି ଭଳିକି ଭଳି ପ୍ରସ୍ତୁତି । କେବଳ ଶନିବାରକୁ ଅପେକ୍ଷା । ମହାମାରୀ କରୋନା ପାଇଁ ଏଥର ବି ଏକାଠି ହୋଲି ଉତ୍ସବକୁ ନା କରାଯାଇଛି । ମାତ୍ର ବର୍ଷ ବର୍ଷ ଧରି ଏହି ଖୁସିର ମାହୋଲରେ ପୂର୍ଣ୍ଣଛେଦ ଟାଣି ପାରିନି । ସବୁଠି ରଙ୍ଗର ପସରା ଖୋଲିଯାଇଛି ।
ଦୋଳପୂର୍ଣ୍ଣିମା ଗଲା ପରେ ଶନିବାର ଦିନ ରାଜଧାନୀବାସୀ ହୋଲି ମନାଇବେ । କେବଳ ଘରେ ଘରେ ରଙ୍ଗ ଖେଳ ହେବ । ସାନମାନେ ଭକ୍ତିର ରଙ୍ଗରେ ଗୁରୁଜନମାନଙ୍କୁ ରଙ୍ଗ ଲଗାଇ ଆଶୀର୍ବାଦ ନେବେ । ଆଉ ବଡ଼ମାନେ ସାନମାନଙ୍କୁ ସ୍ନେହ ଓ ଶ୍ରଦ୍ଧାର ରଙ୍ଗ ଲଗାଇବେ । ଅନେକ ସମ୍ପର୍କକୁ ମଜବୁତ କରିବ ହୋଲିର ଏହି ପ୍ରେମ ରଙ୍ଗ । ହୋଲି ପାଇଁ ରାଜଧୀନର ଜୋରସୋର୍ରେ ପ୍ରସ୍ତୁତି ଚାଲିଛି । ସବୁ ଅବିର ଓ ରଙ୍ଗ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଛି । କିଏ ନିଜ ମନପସନ୍ଦିଆ ଅବିରକୁ କିଣି ନେଉଛନ୍ତି ତ ଆଉ କିଏ ପିଲାଙ୍କ ପାଇଁ ଭଳିକି ଭଳି ପିଚ୍କାରୀ କିଣି ନେଉଛନ୍ତି।