କାଲିଠୁ ଖୋଲିବନି ପ୍ରାଥମିକ ସ୍କୁଲ୍ । କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ନିଷ୍ପତ୍ତି ର ପରିବର୍ତ୍ତନ । କାଲିଠୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୨ ଦିନ ଧରି କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ପିଲାଙ୍କ ସ୍ୱାସ୍ଥ୍ୟଗତ ହିତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତାକାଲି ଠାରୁ ରାଜ୍ୟର ପ୍ରାୟ ୨୩ ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲିଥାନ୍ତା । ବାକି ୩ ହଜାର ୯୩ ବିଦ୍ୟାଳୟ ୧୦ ତାରିଖରୁ ଖୋଲିଥାନ୍ତା । ତେବେ ପୂର୍ବଭଳି ସ୍କୁଲ ଶ୍ରେଣୀଗୃହରେ ଷଷ୍ଠରୁ ଦଶମ ଶ୍ରେଣୀ ପାଠପଢ଼ା ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଜାନୁଆରୀ ୫ରୁ ୮ ତାରିଖ ଯାଏ ଦଶମ ଶ୍ରେଣୀ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମେଟିଭ-୦୧ ପରୀକ୍ଷା ହେବ । କରୋନା ନିୟମ ମାନି ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।