Odia News Portal

ଏସଡିଜେଏମ କେ କୋର୍ଟ ନିର୍ଦ୍ଦେଶକୁ ଚ୍ୟାଲଞ୍ଚ କରି ଉପର କୋର୍ଟ ଗଲେ ସୁମିତ

ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତଙ୍କ ଓକିଲ ଉପର କୋର୍ଟରେ ଆବେଦନ କରିଛନ୍ତି। ଏନେଇ ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା। ପୂର୍ବରୁ ସୁମିତ ଓ ତପସ୍ୱିନୀଙ୍କୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ। ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି।

ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା ପୂର୍ବରୁ କହିଥିଲେ ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଡା. ସୁମିତ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ନାନା କଥା କହି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ସମ୍ମାନ ହାନିକରି ମାନସିକ ନିର୍ୟାତନା ଦେବାରୁ ବାଧ୍ୟହୋଇ ସୁମିତ ମୁହଁ ଖୋଲିଛନ୍ତି। ଦରମା ବନ୍ଦ ସମ୍ପର୍କରେ ମଧ୍ୟ ତାଙ୍କର ଓକିଲ କହିଛନ୍ତି ଯେ ଏହା ବିଭାଗୀୟ ନିୟମ ଅନୁସାରେ ହୋଇଥାଏ। ଯାହା ନିୟମ ରହିଛି, ସେ ଅନୁସାରେ ଦରମା ବନ୍ଦ ହୋଇଥିବ ବୋଲି କହିଛନ୍ତି।
ଅନ୍ୟପଟେ ତପସ୍ବିନୀ ଦାଶ ଏବେ ବି ଆସିକା ଚିନିକଳ ଆଇବିରେ ରହିଛନ୍ତି।