Odia News Portal

ପ୍ରତିଭାବାନ ଛାତ୍ର ପାଠ ପଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ପଠାଇଲେ ଆଡମିଶନ ଖର୍ଚ୍ଚ

ସ୍ୱାଧିକାର ନ୍ୟୁଜ : ଅର୍ଥ ଅଭାବରୁ ପାଠରେ ଡୋରୀ ବନ୍ଧା ହୋଇଥାନ୍ତା । କିନ୍ତୁ ତାର ପାଠ ପଢ଼ିବା ସ୍ୱପ୍ନକୁ ପୁରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ତହସିଲର ତାରାଚାନ୍ ରଣାଙ୍କ ଇଂଜିନିୟରିଂ ପାଠପଢ଼ା ପାଇଁ ଆଡମିଶନ ଖର୍ଚ୍ଚ ବାବଦ ୯୬,୫୦୦ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥ ଅଭାବରୁ ପ୍ରତିଭାବାନ ଛାତ୍ର ତାରାଚାନର ଆଡମିଶନ ବାଧାପ୍ରାପ୍ତ ହେଉଥିବା ଜାଣି ମୁଖ୍ୟମନ୍ତ୍ରୀ ଏହି ଅର୍ଥ ଆଜି ମଂଜୁର କରିଛନ୍ତି ।

ସିନ୍ଧେକେଲା ବଡପଡା ଗାଁର ତାରାଚାନ ରଣା । ଇଂଜିନୟରିଂ ପଢ଼ିବା ପାଇଁ ତାଙ୍କର ଭାରୀ ଆଗ୍ରହ । ହେଲେ ବାପାଙ୍କ ରୋଜଗାର ବାର୍ଷିକ ମାତ୍ର ୪୫ହଜାର ଟଙ୍କା । ଯେଉଁଥିରେ ଦୁଇ ଓଳି ଦୁଇମୁଠା ଖାଇବା ସମ୍ଭବ ନୁହେଁ ସେଥିରେ ପୁଅର ସ୍ୱପ୍ନ ପୁରଣ କରିବା ସମ୍ଭବ ନୁହେଁ । ତଥାପି ନିଜ ଉଦ୍ୟମରେ ତାରାଚାନ୍ ଚଳିତ ବଷ ଇଂଜିନିୟରିଂ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ୯୯.୩୫ ପ୍ରତିଶତ ମାର୍କ ରଖି ଏନଆଇଟି ୱାରଆଙ୍ଗଲରେ ପଢ଼ିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି ।

ତେବେ ଇଂଜିନିୟରିଂ ପଢ଼ିବାକୁ ଆଡମିଶନ ପାଇଁ ଟଙ୍କା ଯୋଗାଡ ନହେବାରୁ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ଲୋଡିଥିଲେ ତାରାଚାନ । ମୁଖ୍ୟମନ୍ତ୍ରୀ ଏନେଇ ଜାଣିବା ପରେ ତୁରନ୍ତ ଆବଶ୍ୟକୀୟ ୯୬,୫୦୦ ଟଙ୍କା ମଂଜୁର କରିଛନ୍ତି । ଏବେ ତାରାଚାନର ସ୍ୱପ୍ନ ପୂରଣ ହୋଇପାରିବ । ଟଙ୍କା ମଂଜୁର ସହ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରକୁ ଅଭିନନ୍ଦନ ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।