ଭାରତକୁ ଘେରିବା ପାଇଁ ଚେଷ୍ଟା ଚଳାଇଛି ଚୀନ। ଏବେ ପାକିସ୍ତାନକୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗି ପଡ଼ିଛି ଡ୍ରାଗନ। ଚୀନ ଦିନକ ପୂର୍ବରୁ ପାକିସ୍ତାନୀ ନୌସେନାକୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଭରପୂର Type-054 ଫ୍ରିଗ୍ରେଟ ହସ୍ତାନ୍ତର କରିଛି। ଏହି ଯୁଦ୍ଧପୋତ ଏତେ ଘାତକ ଯେ ସାମାନ୍ୟ ରାଡାର ବି ଏହାକୁ ଡିଟେକ୍ଟ କରି ପାରିବ ନାହିଁ। ଏହି ଯୁଦ୍ଧପୋତରେ ଲାଗିଥିବା ମିସାଇଲ ଏବଂ ସେନ୍ସର ଆରବ ସାଗରରେ ଭାରତ ପାଇଁ କଠିନ ପରିସ୍ଥିତି ଛିଡ଼ା କରେଇ ପାରେ। ଯଦିଓ ଭାରତୀୟ ନୌସେନା ମଧ୍ୟ ପାକିସ୍ତାନର ବଢ଼ୁଥିବା ଶକ୍ତିକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛି ଏବଂ ପୂରା ଆରବ ସାଗର, ଭାରତ ମହାସାଗର ଓ ବଙ୍ଗୋପ ସାଗର ତଟରେ ନିରୀକ୍ଷଣ ଆରମ୍ଭ କରି ଦେଇଛି। ଦାବି କରାଯାଉଛି କି, ଏହି ଯୁଦ୍ଧପୋତର ଟେକ୍ନିକ୍ ବହୁତ ଉନ୍ନତ। ଏଥିରେ ଅତ୍ୟାଧୁନିକ ଯୁଦ୍ଧ ପ୍ରବନ୍ଧନ ସିଷ୍ଟମ୍ ଲଗା ହୋଇଛି, ଯେଉଁ କାରଣରୁ ଏହା ପାକିସ୍ତାନୀ ନୌସେନାର କ୍ଷମତାକୁ ଆହୁରି ଦୁଇ ଗୁଣା ବଢ଼ାଇ ଦେବ।
ଚୀନ ମିଡିଆ ରିପୋର୍ଟ ମୁତାବକ, China State Shipbuilding Corporation Limited (CSSC) ଏହି ଯୁଦ୍ଧପୋତକୁ ଡିଜାଇନ କରିଛି। ଏହାକୁ ସଂଘାଇରେ ହୋଇଥିବା ଏକ ଆୟୋଜନରେ ପାକିସ୍ତାନୀ ନୌସେନାକୁ ହସ୍ତାନ୍ତର କରାଯାଇଛି। ପାକିସ୍ତାନୀ ନୌସେନା ତରଫରୁ ଜାରି ବୟାନ ଅନୁସାରେ, ଏହି ଯୁଦ୍ଧପୋତର ନାମ PNS Tughril ରଖାଯାଇଛି। ପାକିସ୍ତାନୀ ନୌସେନା ପାଇଁ ଏହିଭଳି ୪ ଯୁଦ୍ଧପୋତ ତିଆରି କରାଯିବାର ଅଛି, ଆଉ ଏହା ହିଁ ପ୍ରଥମ ଯୁଦ୍ଧପୋତ। CSSC କହିଛି ଯେ ଏହି ଯୁଦ୍ଧପୋତ ଚୀନ ଦ୍ୱାରା ରପ୍ତାନୀ କରାଯାଇଥିବା ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ତଥା ସବୁଠାରୁ ଉନ୍ନତ ଯୁଦ୍ଧପୋତ।
ତେବେ ଏଥିରୁ ଚୀନ ଓ ପାକିସ୍ତାନ ମଧ୍ୟରେ ନିବିଡ଼ ବନ୍ଧୁତା ଥିବା ନଜର ଆସିଛି। ଚୀନର Belt and Road Initiativeରେ ଚୀନ-ପାକିସ୍ତାନ ଇକୋନୋମିକ୍ କୋରିଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁଇ ଦେଶ ଭିତରେ ସୈନ୍ୟ ଅସ୍ତ୍ରଶସ୍ତ୍ରକୁ ନେଇ ମଧ୍ୟ କେତେକ ଡିଲ୍ ହୋଇଛି। ଚୀନରୁ ମିଳିଥିବା ଯୁଦ୍ଧପୋତରେ ପାକିସ୍ତାନୀ ନୌସେନା ବହୁତ ଘାତକ ହୋଇଯିବ, ଯାହାକି ଭାରତ ପାଇଁ ଏକ ପ୍ରକାର ସତର୍କ ଘଣ୍ଟି ସାଜିବ। ଏହା ବ୍ୟତୀତ ଚୀନ କେତେକ ଅନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ପାକିସ୍ତାନୀ ନୌସେନାକୁ ପ୍ରଦାନ କରୁଛି। ଏ ନେଇ ପାକିସ୍ତାନ, ଚୀନ ସହିତ ୭ ବିଲିୟନ ଡଲାରର ଡିଲ୍ କରିଛି। ରିପୋର୍ଟ ଅନୁସାରେ, ପାକିସ୍ତାନୀ ନୌସେନା ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଚୀନ ଡିଜାଇନ୍ ଉପରେ ଆଧାରିତ Type 039B ୟୁଆନ କ୍ଲାସ୍ର ବୁଡ଼ାଜାହାଜ କିଣୁଛି। ଡିଜେଲ ଇଲେକ୍ଟ୍ରିକ୍ ଚାଳିତ ଏହି ବୁଡ଼ାଜାହାଜ ପାକିସ୍ତାନ ନୌସେନାର ଶକ୍ତି ବୃଦ୍ଧି କରିବାରେ ସକ୍ଷମ ହେବ, ଯେଉଁଥିରେ ଆଣ୍ଟି ଶିପ୍ କ୍ରୁଜ ମିସାଇଲ ଲଗା ହୋଇଛି। ଏହା କମ୍ ଶବ୍ଦ ଉତ୍ପନ୍ନ କରୁଥିବାରୁ ପାଣି ତଳେ ଏହାର ପତ୍ତା ଲଗାଇବା ବହୁତ ମୁସ୍କିଲ ହୋଇଯିବ।