ଭୁବନେଶ୍ୱର: ବଡ଼ ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ । ଏହି ଡାକ ପଡ଼ିଲେ ମନେ ପଡ଼ିଯାଏ ଗାଁର ସେହି କଥା । ଦୀପାବଳିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଟେକାଯାଇଥାଏ ବଡ଼ବଡ଼ୁଆ । ତେବେ ଆଜି ହେଉଛି ସେହି ପବିତ୍ର ଆଲୋକର ପର୍ବ ଦୀପାବଳି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ ପାଳନ କରାଯାଏ କିନ୍ତୁ ପୂର୍ବ ଭାରତରେ ଏହିଦିନ କାଳୀପୂଜା କରାଯାଏ। ଆମରାଜ୍ୟରେ ଏହିଦିନଟି ଦୀପଦାନ ଶ୍ରାଦ୍ଧ ବା ପୟାଶ୍ରାଦ୍ଧ ଭାବେ ପାଳିତ ହୁଏ। ଆଶ୍ବିନ ମାସର କ୍ରୁଷ୍ଣପକ୍ଷ ଆମର ପିତ୍ରୁପକ୍ଷ ଭାବେ ପାଳିତ ହୁଏ। ପିତ୍ରୁଲୋକଙ୍କୁ ଏହି ଅମାବାସ୍ୟା ଦିନ ଦୀପଦାନ ପୂର୍ବକ ବିଦାୟ ଦିଆଯାଇଥାଏ।
ପୁରାଣ ବର୍ଣ୍ଣନାରୁ ଜନଶ୍ରୁତି ଅଛି ଯେ, ପିତୃପୁରୁଷଙ୍କ ପାଇଁ ଦିନଟିଏ ଆମ ପାଇଁ ତାହା ବର୍ଷଟିଏ । ଅର୍ଥାତ ଆମେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନରେ ପିତୃପୁରୁଷଙ୍କ ପ୍ରୀତ୍ୟର୍ଥେ ଯେଉଁ ପିଣ୍ଡଦାନ କରୁ । ତାହା ପିତୃପୁରୁଷଙ୍କ କାଳଦଣ୍ଡ ଅନୁଯାୟୀ ସେମାନେ ପ୍ରତିଦିନ ଆମଠାରୁ ପିଣ୍ଡପାଣି ପାଇଥାନ୍ତି । ଏହି ପିତୃପକ୍ଷ ସରିଲା ପରେ ପିତୃପୁରୁଷ ତଥା ବଡ଼ବଡୁଆମାନଙ୍କୁ ଆଜିର ଦିନ ତଥା ଦୀପାବଳିର ପବିତ୍ର ସନ୍ଧ୍ୟାରେ ଆମେ ଆବାହନ କରିଥାଉ । କାଉଁରିଆ କାଠିରେ ଭକ୍ତିଦୀପ ସ୍ୱରୂପ ଯେଉଁ ଅର୍ଘ୍ୟ ଆମେ ବାଢ଼ୁ ତାହା ସେମାନଙ୍କୁ ଆମ ପାଖକୁ ଆସିବାର ଆଲୋକ ଦେଖାଏ । ତେଣୁ ଏଥିପାଇଁ ବଡ଼ବଡୁଆ ଡାକରେ ବୋଲାଯାଏ “ବଡ଼ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କୈବଲ୍ୟ ପାଇ ବାଇଶି ପାହାଚରେ ଗଡ଼ଗଡ଼ାଉ ଥାଅ ।