ଭୁବନେଶ୍ୱର : ପୁଲିସ୍ ବାବୁମାନଙ୍କ ପାଇଁ ରାଜଧାନୀ ଏବେ ସୁନା ଇଲିସି ପାଲଟିଛି । ଥରେ ରାଜଧାନୀରେ ପୋଷ୍ଟିଂ ହେଲେ ମୁହଁରେ ଏହି ଇଲିସି ଏମିତି ଲାଗିଯାଉଛି ଯେ ଯେତେ ଯାହା ହେଲେ ବି ରାଜଧାନୀ ଛାଡୁ ନାହାନ୍ତି । ଯଦି କିଏ କେଳେଙ୍କାରୀ କରି କିମ୍ବା ଦୁର୍ନୀତି କରି ଧରାପଡୁଛି ତେବେ ଯାଇ ରାଜଧାନୀ ଛାଡୁଛି । ଭୁବନେଶ୍ୱରରେ ବର୍ଷ ବର୍ଷ ଧରି ଗାଦିମାଡି ବସିଥିବା ଏହି ବାବୁମାନଙ୍କ ପାଇଁ ଚୋର ତସ୍କରଙ୍କ ଉତ୍ପାତ ବଢି ଚାଲୁଥିବା ଆଲୋଚନା ହେଉଛି ।
ରାଜଧାନୀରେ ପୁଲିସ୍ ବାବୁମାନେ କିଭଳି ଆସ୍ଥାନ ଜମାଇଛନ୍ତି ତାହା ସହରର ମହିଳାଥାନା, କ୍ୟାପିଟାଲ ଥାନା, ଶହୀଦନଗର ଭଳି ଥାନା ଆଡେ ବୁଲି ଆସିଲେ ଯେ କେହି ଜାଣିପାରିବ । ଏଠାରେ ଥିବା ଥାନାରୁ ତଳୁ ଉପର ପର୍ଯ୍ୟନ୍ତ ବାବୁ ବାବୁଆଣୀଙ୍କ ଭିତରୁ କିଏ ରାଜଧାନୀରେ ୧୦ ବର୍ଷ ତ ଆଉ କିଏ ୧୫ବର୍ଷ ରହିଲାଣି । କାଳେ ଥାନାରେ ବେଶି ଦିନ ରହିଲେ ଗଣମାଧ୍ୟମ ନଜରକୁ ଆସିବେ ସେଥିପାଇଁ ମଝିରେ ମଝିରେ ରାଜଧାନୀରେ ଥିବା ଭିଜିଲାନ୍ସ ସ୍ପେଶାଲ ସ୍କାଡ୍ ଆଡେ ଟିକେ ବୁଲି ଆସୁଛନ୍ତି । କିଏ କିଏ ଲୋକଙ୍କ ନଜର ହଟାଇବାକୁ କମିଶନରେଟ ମୁଖ୍ୟ ଦପ୍ତରରେ ମାସ କେଇଟା କାଟି ଦେଉଛନ୍ତି ।
ରାଜଧାନୀରେ ଇଲିସିର ଏଭଳି ସୁଆଦ ଯେ ଯଦି ଜଣେ ପୁଲିସ୍ ବାବୁ ଏଠାରେ ଏସ୍ଆଇ ପୋଷ୍ଟରେ ନିଯୁକ୍ତ ହେଉଛନ୍ତି ତେବେ ସିଏ ଏହିଠାରେ ହିଁ ପଦୋନ୍ନତି ପାଇ ଇନ୍ସପେକ୍ଟରର ଓ ପରେ ଏସିପି ହେଉଛନ୍ତି । ଯଦି କେତେବେଳେ ଅଭିଯୋଗ ଆସୁଛି ତେବେ ବଡ ପୁଲିସ୍ ବାବୁମାନେ ଲୋକଙ୍କୁ ଭୁଆଁ ବୁଲାଇବାପାଇଁ ବାବୁମାନଙ୍କୁ ଏଥାନାରୁ ସେ ଥାନାକୁ ବଦଳାଇ ପାଇଟି ସାରି ଦେଉଛନ୍ତି । ଯଦି ଅତି ବେଶିରେ କିଛି କାର୍ଯ୍ୟାନୁଷ୍ଠାନ ହେଉଛି ତେବେ କଟକରେ କିଛି ଦିନ କାଟିବାକୁ କୁହାଯାଉଛି । ଯେଉଁମାନଙ୍କ ନାମ ଜିଲ୍ଲାପାରି ବଦଳି ତାଲିକାରେ ବାହାରୁଛି ସେମାନଙ୍କ ମଧ୍ୟରୁ କିଏ ଛୁଟିରେ ପଳାଉଛି ତ ଆଉ କିଏ ମାମଲା ଥଣ୍ଡା ପଡିବା ପରେ ପୁଣି ରାଜଧାନୀରେ ଜାକିଜୁକି ହୋଇ ରହିଯାଉଛି । ରାଜଧାନୀର ବିଭିନ୍ନ ଥାନା ଓ କମିଶନରେଟ ଦପ୍ତରରେ ଥିବା ପୁଲିସ୍ ବାବୁ ବାବୁଆଣୀଙ୍କୁ ଯାଞ୍ଚ କରାଗଲେ ସେମାନଙ୍କ ମଧ୍ୟରୁ ଅନେକ ନିଜ ଚାକିରର ଅଧାରୁ ଅଧିକ ସମୟ ରାଜଧାନୀରେ କାଟିଥିବା ଦେଖିବାକୁ ମିଳିବ ।
ତେବେ ଏତେ ସଂଖ୍ୟାରେ ପୁଲିସ୍ ରାଜଧାନୀରେ ଦୀର୍ଘ ସମୟ ଧରି ଗାଦି ମାଡି ବସି ଅପରାଧିଙ୍କ ନାଡି ନକ୍ଷେତ୍ର ଚିପିଥିବାବେଳେ ସହରରେ କିଭଳି ଅପରାଧ ବଢୁଛି ତାହା ବଡ ପ୍ରଶ୍ନବାଚୀ ହୋଇଛି । ସହରର ପାଣି ପବନ ସହ ଜଡିତ ପୁଲିସ୍ ବାବୁମାନଙ୍କୁ ଚୋରମାନେ କିଭଳି ଚକ୍ମା ଦେଉଛନ୍ତି ତାହାକୁ ନେଇ ଆଲୋଚନା ଚାଲିଥିବାବେଳେ କେତେକ ଏଥିପାଇଁ ସହରର ପୁରୁଣା ଖାକି ବାବୁଙ୍କୁ ଯୋଗୁଁ ହେଉଥିବା କହୁଛନ୍ତି । ଦୀର୍ଘଦିନ ଧରି ଏଠାରେ ଆସ୍ଥାନ ଜମାଇଥିବାରୁ ଅପରାଧି ନିୟନ୍ତ୍ରଣ ପରିବର୍ତ୍ତେ କିଛି ବାବୁ ସମ୍ପତ୍ତି ବଢାଇବାରେ ଲାଗିଛନ୍ତି । ଅବଶ୍ୟ ମଝିରେ ମଝିରେ କିଛି ବାବୁ ପ୍ରେମଜନିତ କାରଣ ହେଉ କିମ୍ବା ଅନ୍ୟ ମାମଲାରେ ଫସି ରାଜଧାନୀ ଛାଡିବାକୁ ବାଧ୍ୟ ହେଉଛନ୍ତି ।
ତେବେ ପୁଲିସ୍ ବ୍ୟବସ୍ଥାରେ ସଂସ୍କାର କଥା ବାରମ୍ବାର କହୁଥିବା ରାଜ୍ୟ ପୁଲିସ୍ ପ୍ରଶାସନ କାହିଁକି ଏହି ଖାକି ବାବୁ ବାବୁଆଣୀଙ୍କୁ ରାଜଧାନୀ ଇଲିସି ଖାଇବାକୁ ଏତେ ସୁଯୋଗ ଦେଉଛନ୍ତି ତାହା ଏବେ ଖୋଦ ପୁଲିସ୍ ମହଲରେ ଆଲୋଚନା ହେଉଛି । ଏହାକୁ ନେଇ ପୁଲିସ୍ ବାବୁମାନେ ଦୁଇଭାଗ ହେଉଥିବାବେଳେ ଉପାନ୍ତରେ ପଡିଥିବା ଖାକିବାବୁମାନେ ଏବେ ଏହି ଇଲିସିଲୋଭି ବିରାଦିରୀଙ୍କ ବିରୁଦ୍ଧରେ ଏକ ପ୍ରକାର ଅଭିଯାନ ଆରମ୍ଭ କରିଦେଇଥିବା ଲକ୍ଷ୍ୟ କରାଯାଉଛି ।