Odia News Portal

ସରକାରୀ ଡାକ୍ତରଙ୍କ କାରସାଦି, କୋଭିଡ ରିପୋର୍ଟ ଆଳରେ ଘରୋଇ କ୍ଲିନିକରେ ଚିକିତ୍ସା

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ଚିକିତ୍ସା ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ । ହେଲେ ସେହି ଡାକ୍ତରଯେତେବେଳେ ନିକଟସ୍ଥ ଘରୋଇ କ୍ଲିନିନକୁ ଯାଇ ରୋଗୀ ଦେଖୁଛନ୍ତି ଆଉ କୋଭିଡ ରିପୋର୍ଟ ଆବଶ୍ୟକ ହେଉନାହିଁ । ରାଜ୍ୟର ପ୍ରାୟ ସବୁ ସରକାରୀ ଡାକ୍ତରଖାନାରେ ଏହି ଅବସ୍ଥା । ରୋଗୀଙ୍କ ଠାରୁ ଟଙ୍କା ଶୋଷିବାପାଇଁ ଏବେ କିଛି ଡାକ୍ତର ଏହି ଅଭିନବ ପନ୍ଥା ଆପଣେଇଛନ୍ତି ।

ସରକାରୀ ଡାକ୍ତରଖାନାକୁ ଯଦି କୌଣସି ରୋଗୀ ଚିକିତ୍ସାପାଇଁ ଯାଉଛନ୍ତି ତେବେ ତାଙ୍କୁ କୋଭିଡ ପରୀକ୍ଷା କରିବାକୁ କୁହଯାଉଛି । ବିଶେଷକରି ସ୍ତ୍ରୀ ଓ ପ୍ରସୂତୀ, ଦନ୍ତ ଓ ଅନ୍ୟାନ୍ୟ ଜଟିଳ ରୋଗ, ଯେଉଁଥିରେ କି ଡାକ୍ତରମାନଙ୍କୁ ରୋଗୀଙ୍କ ନିକଟତର ହେବାକୁ ପଡିବ, ସେଠାରେ ରୋଗୀଙ୍କୁ ଦେଖୁ ଦେଖୁ କୋଭିଡ ରିପୋର୍ଟ ମାଗୁଛନ୍ତି । ଅଧିକାଂଶ ସ୍ଥାନରେ ରୋଗୀଟି ବାଧ୍ୟହୋଇ ଆଣ୍ଟିଜେନ୍‍ କୋଭିଡ ପରୀକ୍ଷାପାଇଁ ଧାଡି ଲଗାଉଥିବାବେଳେ ଆଉ କେତେକ ସ୍ଥାନରେ ସେହି ଡାକ୍ତରଙ୍କ ଆଖପାଖରେ ଟହଲ ମାରୁଥିବା ଦଲାଲମାନେ ଘରୋଇ କ୍ଲିନିକରେ ତ କୋଭିଡ ପରୀକ୍ଷା ରିପୋର୍ଟ ଆବଶ୍ୟକ ନାହିଁ ବୋଲି ରୋଗୀଙ୍କ କାନରେ କଥାଟା ପକାଇ ଦେଉଛନ୍ତି । ଏଥି ସହିତ କୋଭିଡ ପରୀକ୍ଷା ପାଇଁ କିଭଳି ନାକରେ କାଠି ପୂରାଇବାକୁ ପଡିବ ତାହା ବି କହି ଡରାଉଛନ୍ତି ।

ଫଳରେ ରୋଗୀମାନେ ଘରୋଇ କ୍ଲିନିକ ଖୋଜିଲା ମାତ୍ରେ ଉକ୍ତ ଡାକ୍ତର ଯେଉଁ କ୍ଲିନିକରେ ବସୁଛନ୍ତି ଦଲାଲମାନେ ତାହା ଠିକଣା ଦେଇ ଦେଉଛନ୍ତି । ରାଜ୍ୟର ପ୍ରମୁଖ ଡାକ୍ତରଖାନା ଆଖପାଖରେ ଥିବା ଘରୋଇ କ୍ଲିନିକ ଯାଞ୍ଚ କଲେ ଏଭଳି ବହୁ ରୋଗୀଙ୍କୁ ଦେଖିବାକୁ ମିଳିବ ଯେଉଁମାନେ କୋଭିଡ ପରୀକ୍ଷା ଭୟରେ ସରକାରୀ ଡାକ୍ତରଖାନାରୁ ଫେରି ଘରୋଇ କ୍ଲିନିକରେ ଉକ୍ତ ଡାକ୍ତରଙ୍କ ନିକଟରେ ଚିକିତ୍ସାହୋଇ ଫିସ୍‍ ଗଣୁଛନ୍ତି ।

ସମଗ୍ର ରାଜ୍ୟରେ ଚାଲିଥିବା ଏହି ଶୋଷଣ ର୍ୟାକେଟରେ ଡାକ୍ତରଙ୍କ ସହିତ ଘରୋଇ କ୍ଲିନିକ ମାଲିକ ଓ ଦଲାଲ ହାତ ମିଳାଇଛନ୍ତି । ବର୍ତ୍ତମାନ ଲୋକଙ୍କ ନିକଟରେ ଅର୍ଥ ନଥିବାରୁ ଓ ସେମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ହେବାକୁ ଚାହୁଁଥିବାରୁ ଘରୋଇ ଚିକିତ୍ସାରେ ମାତିଥିବା ବହୁ ସରକାରୀ ଡାକ୍ତରଙ୍କ ରୋଜଗାର ହ୍ରାସ ପାଇଛି । ତେଣୁ କୌଣସି ପ୍ରକାରେ ଡରାଇ ମରାଇ ସରକାରୀ ଡାକ୍ତରଖାନାରୁ ରୋଗୀଙ୍କୁ ନିକ କ୍ଲିନିକକୁ ନେବାପାଇଁ କୋଭିଡ ଏବେ ଏମାନଙ୍କ ପାଇଁ ସାହାରା ପାଲଟିଛି । ରାଜ୍ୟବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବାର ପ୍ରତିଶ୍ରୁତି ଦେଇ ସ୍ମାର୍ଟ ହେଲ୍‍ଥ କାର୍ଡ ବଣ୍ଟନ କରୁଥିବା ସରକାର ଏବେ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । ନହେଲେ କୋଭିଡ ରିପୋର୍ଟ ଆଳରେ ସରକାରୀ ଡାକ୍ତରମାନେ ଯେଭଳି ରୋଗୀଙ୍କୁ ଶୋଷଣ କରୁଛନ୍ତି ତାହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ଓ ଗାଁ ଗହଳର ଗରିବ ଲୋକେ ଶୋଷଣ ଶିକାର ହୋଇ ସରକାରଙ୍କ ବିରୁଦ୍ଧରେ ବିଷ ଓଗାଳିବାର ସୁଯୋଗ ପାଇବେ ।