ଭୁବନେଶ୍ୱର: ସବୁଠି ବାତ୍ୟା ଭୟ । ମାଡ଼ି ଆସୁଛି ବାତ୍ୟା ଗୁଲାବ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୧୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମ ଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୩୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପଟନମର ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ‘ଗୁଲାବ’ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସନ୍ଧ୍ୟା ପରେ ଆରମ୍ଭ ହେବ ।
ଏହି ବାତ୍ୟା ଯୋଗୁ ଓଡ଼ିଶାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସିପାରେ । ଏନେଇ ମଧ୍ୟ ସତର୍କତା ଜାରି କରାଯିବା ସହ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଛି । ପୁରୀ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଦିଆ ଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଂକେତ ରହିଛି ।