ଭୁବନେଶ୍ୱର: ବିଚ୍ ରାସ୍ତାରେ ପିଟିଲେ, ବିଜେଡିରୁ ତଡ଼ା ଖାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ପରେ ବିଜେପି ପକ୍ଷରୁ ବିଧାୟକଙ୍କ ବିରୋଧରେ ଜାରି ରହିଛି ବିକ୍ଷୋଭ । ଯଦିଓ ବିଜେଡ଼ିରୁ ପ୍ରଶାନ୍ତଙ୍କୁ ନିଲମ୍ବିତ କରାଯାଇଛି ତଥାପି ଏତିକିରେ ଥମିନି ବିବାଦ । ବିଧାୟକଙ୍କୁ ଗିରଫ କରିଛି ବିଜେପି । ଯଦି ତାଙ୍କୁ ଗିରଫ କରାନଯାଏ ତେବେ ଆଗାମୀଦିନରେ ଏସପିଙ୍କ ଅଫିସ ଘେରାଉ କରାଯିବ ବୋଲି ଚେତାବନି ଦେଇଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ କରାଯିବା ନେଇ ବିଜେପି ପକ୍ଷରୁ ଯୁକ୍ତି ବଢ଼ାଯାଇଛି । ଏବେ ଦେଖିବାକୁ ବାକି ରହିଲା କେବେ ଗିରଫ ହେଉଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । କାହିଁକି ନାଁ ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇ ଘଣ୍ଟ ଘୋଡେଇ ହୋଇ ରହିଥିଲେ ସେ । ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବାବେଳେ ମଧ୍ୟ ତାଙ୍କ ବିରୋଧରେ ଅନେକ ମାମଲା ରହିଥିଲା । ଚଳିତ ନିର୍ବାଚନରେ ତାଙ୍କ ଟିକେଟକୁ ନେଇ ପ୍ରଶ୍ନ ଉଠିଥିବାବେଳେ ପାୱାର କରିଡରରେ ତାଙ୍କ ଦବଦବା ରହିଥିବାରୁ ଚିଲିକା ଆସନରୁ ଦଳୀୟ ଟିକେଟ ହାତେଇଥିଲେ । ତେବେ ଏବେ ବିଜେଡିରୁ ତଡ଼ା ଖାଇବା ପରେ ଆଗାମୀଦିନରେ ତାଙ୍କର ରାଜନୈତିକ କ୍ୟାରିୟର କଣ ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।