ନବରଙ୍ଗପୁର: ରାଜ୍ୟରେ ଥମିବାର ନାଁ ଧରୁନି ଲଜ୍ଜା । ବିଲରୁ କାମ ସାରି ଫେରୁଥିଲେ ମା ଝିଅ । ରାସ୍ତାରେ ଛକି ବସିଥିଲା ନରରାକ୍ଷସ । ଯୌନ ସୁଖ ଲାଗି ମଣିଷରୁ ପଶୁ ପାଲଟିଥିଲା । ପ୍ରଥମେ ମା’ର ମୁହଁକୁ ପଥରରେ ମାରି ରକ୍ତାକ୍ତ କରିଥିଲା । ଆଉ ପରେ ୧୫ ବର୍ଷୀୟା ନାବାଳିକାକୁ ମକାବାରି ଭିତରୁ ଟେକି ନେଇ କରିଥିଲା ଦୁଷ୍କର୍ମ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟା ଥାନା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଅଭିଯୁକ୍ତ ତୁଲାରାମ ମାଝୀକୁ ଗିରଫ’ କରି କୋର୍ଟ ଚାଲାଣ କରିଛି ।
ସୂଚନା ଥାଉକି, ଶନିବାର ମା ଝିଅ ବିଲରୁ କାମ ସାରି ଫେରୁଥିବା ବେଳେ ତୁଲାରାମ ଏଭଳି କାଣ୍ଡ ଭିଆଇଥିଲା । ଦୁଷ୍କର୍ମ କରିବା ପରେ ନାବାଳିକାଙ୍କୁ ଏକାଛାଡ଼ି ଫେରାର ହୋଇଥିଲା ଅଭିଯୁକ୍ତ । ତେବେ ପିଡ଼ିତା ଜଣକ ବହୁ କଷ୍ଟରେ ଘରକୁ ଆସି ପରିବାର ଲୋକଙ୍କୁ ସବୁ କଥା କହିଥିଲେ । ପିଡିତାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ଗିରଫ ହୋଇଛି ଅଭିଯୁକ୍ତ । ସେପଟେ ଗୁରୁତର ଅବସ୍ଥାରେ ପିଡିତାଙ୍କ ମାଙ୍କୁ ତେନ୍ତୁଳିଖୁଣ୍ଟା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।