ଭୁବନେଶ୍ୱର: ସନ୍ଥ ଓ ସଦଗୁରୁମାନେ ଏକକାଳୀନ ପାର୍ଥୀବ ଓ ଅପାର୍ଥୀବ ଅବସ୍ଥାରେ ଥାଆନ୍ତି । ସେମାନେ ବହୁ ଜନ୍ମ ଅତିକ୍ରମ କରି ଆସିଥାନ୍ତି । ପୂର୍ବ ଜନ୍ମମାନଙ୍କରେ ସେମାନଙ୍କୁ ସାଧାରଣ ମଣିଷ ଭଳି ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ । କଠିନ ପରିଶ୍ରମ, ଅଧ୍ୟବସାୟ ଓ ସାଧନା ବଳରେ ସେମାନେ ଉଚ୍ଚତର ସେପାନକୁ ଉନ୍ନୀତ ହୋଇଥାନ୍ତି । ତେବେ ସେମାନେ ଅଯାଚିତ ଭାବରେ କାହାକୁ ଉପଦେଶ ଦେଇ ନଥାନ୍ତି । ଯେଉଁମାନେ ସେମାନଙ୍କର ଉପଦେଶ ଗ୍ରହଣ କରନ୍ତି ସେମାନେ ନିଶ୍ଚିତ ଭାବେ ଉପକୃତ ହୋଇଥାନ୍ତି । ସାଂସରିକ ଦୁଃଖ ଯନ୍ତ୍ରଣାରୁ ମନୁଷ୍ୟକୁ ଉଦ୍ଧାର କରି ନେଇଥାନ୍ତି । ପରବର୍ତ୍ତୀ କାଳରେ ନିଜର କର୍ମ ଅବ୍ୟାହତ ରଖିବା ନିମନ୍ତେ ସେମାନେ ଭକ୍ତଗଣଙ୍କ ମଧ୍ୟରୁ ଭାବୀ ଗୁରୁ ଚୟନ କରିଥାନ୍ତି ଓ ସେମାନଙ୍କୁ ସେହି ଭଳି ଭାବରେ ଗଢ଼ିଥାନ୍ତି ।