Odia News Portal

ଆଫଗାନିସ୍ତାନରୁ ୬୨୬ ଜଣଙ୍କୁ ଉଦ୍ଧାର କଲାଣି ଭାରତ

ଆଫଗାନିସ୍ତାନରେ ତାଲିବାନ୍ ରାଜ ଆରମ୍ଭ ହୋଇଛି । ଆତଙ୍କୀଙ୍କ ଭୟରେ ଦେଶ ଛାଡିବାକୁ କାବୁଲ ଏୟାରପୋର୍ଟରେ ଆଫଗାନ୍ ବାସୀ । ଅନ୍ୟପଟେ ବହୁ ରାଷ୍ଟ୍ର ମଧ୍ୟ ଆଫଗାନିସ୍ତାନରେ ଫସି ରହିଥିବା ସେମାନଙ୍କ ଦେଶବାସୀଙ୍କୁ ନିଜ ଦେଶକୁ ଏୟାରଲିଫ୍ଟ କରାଉଛନ୍ତି ।

ଭାରତ ମଧ୍ୟ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବାକୁ ଆରମ୍ଭ କରିଛି ‘ମିଶନ୍ କାବୁଲ’ । ଏହି ମିଶନରେ ଭାରତୀୟ ବାୟୁ ସେନା ସାହାର୍ଯ୍ୟରେ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଉଛି ।

ଏହାସହିତ କିଛି ଆଫଗାନ୍ ବାସୀଙ୍କୁ ମଧ୍ୟ ଭାରତୀୟ ବିମାନରେ ଭାରତ ଅଣାଯାଇଛି । ତେବେ ଆଜି ଆଫଗାନିସ୍ତାନରୁ ଉଦ୍ଧାର ହୋଇଥିବା ଭାରତୀୟ ଓ ଆଫଗାନ୍ ବାସୀଙ୍କ ତଥ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀ ।

ବର୍ତ୍ତମାନ ସୁଦ୍ଧା କାବୁଲରୁ ୬୨୬ଜଣଙ୍କୁ ଉଦ୍ଧାର କଲାଣି ଭାରତ । ଏମାନଙ୍କ ମଧ୍ୟରେ ୨୨୮ ଜଣ ଭାରତୀୟ ନାଗରିକ ରହିଥିବା ବେଳେ ୭୭ ଜଣ ଆଫଗାନ୍ ଶିଖ୍ ମଧ୍ୟ ରହିଛନ୍ତି । 

ଅନ୍ୟପଟେ ଏବେବି ଅନେକ ଭାରତୀୟ ଆଫଗାନ୍ ରେ ଫସି ରହିଛନ୍ତି ସେମାନଙ୍କ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ପୁରା ଆଫଗାନିସ୍ତାନରେ ଏକମାତ୍ର କାବୁଲ ଏୟାରପୋର୍ଟ ତାଲିବାନ୍ ଦଖଲ ବାହାରେ ରହିଥିବା ବେଳେ ଏହାକୁ କବ୍ଚା କରିବାକୁ ତାଲିବାନ୍ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଯାହା ସେଠାରୁ ଲୋକଙ୍କ ଉଦ୍ଧାର ପ୍ରକ୍ରିୟାରେ ସବୁଠାରୁ ବଡ଼ ବାଧକ ସାଜିବାକୁ ଯାଉଛି ।