ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦେଶରେ ତେଲ ଦର ଶହେ ଉପରେ ରହିଛି । ହେଲେ କେନ୍ଦ୍ର ଏ ପ୍ରସଙ୍ଗରେ ଉତ୍ତର ଦେଇ କହିଛି ଏବେ ତେଲ ଦର କମିବ ନାହିଁ। ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାର କୌଣସି ଯୋଜନା ନାହିଁ । କାରଣ ପୂର୍ବରୁ ୟୁପିଏ ସରକାର ଜାରି କରିଥିବା ଅଏଲ ବଣ୍ଡ ଯୋଗୁଁ ଏବେ ସୁଧ ପରିଶୋଧ କରିବାକୁ ପଡ଼ୁଛି । ତେଲ ଦର କମାଇବାକୁ ୟୁପିଏ ସରକାର ୧ ଲକ୍ଷ ୪୪ ହଜାର କୋଟିର ଅଏଲ ବଣ୍ଡ ଜାରି କରିଥିଲେ। ଏଥିପାଇଁ ଏବେ ସୁଧ ଦେବାକୁ ପଡୁଛି । ସରକାର ଗତ ୫ ବର୍ଷରେ ପ୍ରାୟ ୬୨ ହଜାର କୋଟିର ସୁଧ ପ୍ରଦାନ କରିଛନ୍ତି । ଆସନ୍ତା ୨୦୨୬ ସୁଦ୍ଧା ଆହୁରି ୩୭ ହଜାର କୋଟିର ସୁଧ ଦେବାକୁ ପଡ଼ିବ । ସୁଧ ଛଡ଼ା ଏବେ ବି ୧ ଲକ୍ଷ ୩୦ ହଜାର କୋଟିର ମୂଳ ପରିଶୋଧ କରିବାକୁ ରହିଛି । ସରକାରଙ୍କ ଉପରେ ଯଦି ଏହି ବୋଝ ନଥାନ୍ତା ତେବେ ସରକାର ତେଲ ଦର ହ୍ରାସ କରିଥାନ୍ତେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଚିନ୍ତିତ ହେବା ସ୍ୱାଭାବିକ । କିନ୍ତୁ ଯଦି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ବସି ଆଲୋଚନା ନ କରନ୍ତି ତେବେ ଏହାର କୌଣସି ସମାଧାନ ବାହାରିବ ନାହିଁ ସୀତାରମଣ କହିଛନ୍ତି ।