ଭୁବନେଶ୍ୱର: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମେଟ୍ରକି ରେଜଲ୍ଟ । ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ । ଏମାନେ ପୁଣିଥରେ ଫର୍ମଫିଲପ କରିଛନ୍ତି । ଆଉ ଆସନ୍ତାକାଲି ଅଫଲାଇନରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ । ଶୁକ୍ରବାର ଦିନ ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୧୫ ଜଣ ଦେବେ ପରୀକ୍ଷା ଦେବେ । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ । ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଲେ ବୋର୍ଡ ସଭାପତି ।
ସେହି କ୍ରମରେ ୫୦୪ଟି ଯାକ ସେଣ୍ଟରରେ ନିୟୋଜିତ ହେବାକୁ ଥିବା ନିରୀକ୍ଷକ ବା ଇନ୍ଭିଜିଲେଟର୍ମାନଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ରଖାଯାଇଛି । କୋଭିଡ୍ ଟେଷ୍ଟ ପରେ ନେଗେଟିଭ୍ ରିପୋର୍ଟ ଥିବା ଶିକ୍ଷକମାନେ ହିଁ କେନ୍ଦ୍ରଗୁଡ଼ିକରେ ନିରୀକ୍ଷକ ଦାୟିତ୍ୱରେ ରହିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଥଣ୍ଡା, ଛିଙ୍କ ଏବଂ ଜ୍ୱର ଆଦି ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କୁ ଅନ୍ୟ ପରୀକ୍ଷାର୍ଥୀମାନଙ୍କଠାରୁ ଦୂରେଇ ରଖି ପରୀକ୍ଷା ଦେବା ଲାଗି ପ୍ରତି ସେଣ୍ଟରରେ ଆଇସୋଲେସନ୍ ରୁମ୍ ରଖିବା ଲାଗି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀମାନେ ପ୍ରବେଶ କରିବା ପୂର୍ବରୁ ଗେଟ୍ରେ ଥର୍ମାଲ୍ ସ୍କ୍ରିନିଂ କରିବା ସହ ହାତ ସାନିଟାଇଜ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।