Odia News Portal

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ଲଘୁଚାପ । ୧୧ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ୧୮ ତାରିଖରେ ଆଉ ଏକ ଲଘୁଚାପ ମଧ୍ୟ ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ହେଲେ ବି ରାଜ୍ୟରେ ଆଶାନୁଯାୟୀ ବର୍ଷା ହୋଇନପାରେ । ବିସ୍ତୃତ ଅଞ୍ଚଳରେ କିମ୍ବା ବଡ଼ ବର୍ଷା ସମ୍ଭାବନା କମ୍ । ରାଜ୍ୟରେ ଏଯାବତ୍ ଲାଗି ରହିଥିବା ବର୍ଷା ଅଭାବ ସ୍ଥିତି ଆହୁରି ଉତ୍କଟ ହେବ । ଏହା ଧାନ ଫସଲ ପାଇଁ ସମସ୍ୟା ବଢ଼ାଇବ ।

ଆକଳନ କରାଯାଉଛି, ଆସନ୍ତା ୨୦ ତାରିଖ ସୁଦ୍ଧା ଗଜପତି, ଗଞ୍ଜାମ, କୋରାପୁଟରେ ସମୁଦାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଖୋର୍ଦ୍ଧା, ପୁରୀ ଜିଲ୍ଲାମାନଙ୍କର ଦକ୍ଷିଣାଞ୍ଚଳ ସହିତ ବାଲେଶ୍ୱର, ମୟୂରଭଞ୍ଜରେ ୫୦ ମିମି ଓ ବାକି ଅଞ୍ଚଳରେ ହାରାହାରି ୪୦ ମିମି ବର୍ଷା ସମ୍ଭାବନା ଅଛି । ଜୁଲାଇ ୯ରୁ ୨୩ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୭୦ ମିମି ବର୍ଷା ହେବା କଥା । ହେଲେ ଏହି ସମୟ ଭିତରେ ହାରାହାରି ୮୫ ମିମି ବର୍ଷା ହୋଇପାରେ । ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ ବର୍ଷା ଅଭାବ ସ୍ଥିତି କିଭଳି ବିଗିଡ଼ିପାରେ ।