Odia News Portal

୧୫ ତାରିଖରେ ବାମଦଳର ଓଡ଼ିଶା ବନ୍ଦକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ତା ସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ଏହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ସେଥିରେ ତୈଳ ଡର ଏବଂ ରନ୍ଧନ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ ୨୩ଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇଦେବା ଫଳରେ ଖାଇବା ତେଲ, ଡାଲି, ଆଳୁ, ପିଆଜ, ଚିନି ଔଷଧ ଆଦି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆକ୍ରମଣ କରିଚ୍ଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

ଏଣୁ ଜନମାରଣ ନୀତି ବିରୁଦ୍ଧରେ,ସିପିଆଇ, ସିପିଆଇ(ଏମ),ସିପିଆଇ(ଏମ୍ଏଲ୍)ଲିବରେସନ,ଫରୱାର୍ଡ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତା ଜୁଲାଇ ୧୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦେଇଛନ୍ତି।ଏହି ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦ,ସାଂସଦ,ବିଧାୟକ ପାର୍ଥିଙ୍କୁ ଓ କର୍ମୀମାନଙ୍କୁ ନିବେଦନ କରିଛନ୍ତି ଓଡିଶା ବନ୍ଦରେ ସାମିଲ ହୋଇ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ । ଏହି ଓଡିଶା ବନ୍ଦ ଡାକରା ର ସଫଳ ପାଇଁ ଜନ ସାଧାରଣଙ୍କର ପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।