ନୂଆଦିଲ୍ଲୀ: ଆଜି ସଂନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ ଢାଞ୍ଚା ଦେବା ଉଦ୍ଦେଶ୍ୟରେ ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରାଳୟ ଭାବେ ଏହି ନୂତନ ମନ୍ତ୍ରାଳୟ ଗଠନ କରାଯାଇଛି ।ମନ୍ତ୍ରାଳୟ କାରବାରକୁ ସରଳୀକୃତ କରିବାକୁ ମଧ୍ୟ ଏହି ମନ୍ତ୍ରାଳୟର ଲକ୍ଷ୍ୟ ବୋଲି କୁହାଯାଇଛି। ମିନିଷ୍ଟ୍ରି ଅଫ୍ କୋଅପରେସନ ସହଯୋଗ ଆନ୍ଦୋଳନକୁ ମଜଭୁତ କରିବାକୁ ପୃଥକ ଭାବେ ପ୍ରଶାସନିକ, ଆଇନ ସହ ନୀତିଗତ ବ୍ୟବସ୍ଥା ଯୋଗାଇବ। ଏହି ମନ୍ତ୍ରାଳୟ ଲାଗି ଆଜି ନୂତନ ମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ।
ମିନିଷ୍ଟ୍ରି ଅଫ୍ କୋଅପରେସନ ଇଜ୍ ଅଫ୍ ଡୁଇଂକୁ ଅଧିକ ସରଳ କରିବାରେ ସହୟତା କରିବ। କ୍ୟାବିନେଟ ସଚିବଙ୍କ ଦ୍ୱାରା ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି, ସହଯୋଗରୁ ସମୃଦ୍ଧି ଲକ୍ଷ୍ୟ ହାସଲ କରିବା ପାଇଁ ଏପରି ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହା ଏକ ଐତିହାସିକ ପଦକ୍ଷେପ। ଚଳିତବର୍ଷ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସହଯୋଗ ମନ୍ତ୍ରାଳୟ ଗଠନ ହେବ ବୋଲି ଘୋଷଣା କରିଥିଲେ। ସେହି ଘୋଷଣା ଅନୁସାରେ, କେନ୍ଦ୍ର ସରକାର ସହଯୋଗ ମନ୍ତ୍ରାଳୟ ଗଠନ କରିଥିବା ଜଣାଯାଇଛି। ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯିବ। ଯେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଅଛି, ସମସ୍ତଙ୍କୁ ଦିଲ୍ଲୀ ଡକରା ଯାଇଛି । ହେଲେ ସେମାନେ ଖୋଲାଖୋଲି କିଛି କହୁ ନାହାନ୍ତି। ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବାବେଳେ ଏବେ ୫୩ ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରି ପାରିବେ ପ୍ରଧାନମନ୍ତ୍ରୀ।