ଲାହୋର: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍ ୨୩ ତାରିଖରେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରସ୍ଥିତ ବାସଭବନ ବାହାରେ ଘଟିଥିବା ବିସ୍ଫୋରଣ ପାଇଁ ପାକିସ୍ତାନ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର)କୁ ଦାୟୀ କରିଛି । ପାକିସ୍ତାନର ଜାତୀୟ ସୁରକ୍ଷରା ପରାମର୍ଶଦାତା ମୋଇଦ ୟୁସୁଫ କହିଛନ୍ତି, ଏହି ବିସ୍ଫୋରଣ ପଛରେ ‘ର’ର ହାତ ରହିଥିଲା । ସୂଚନାଯୋଗ୍ୟ ଯେ ହାଫିଜ ଘର ବାହାରେ ଘଟିଥିବା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୨୪ ଜଣ ଆହତ ହୋଇଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ସୂଚନା ମନ୍ତ୍ରୀ ପୱାଦ ଚୌଧରୀ ଏବଂ ପଞ୍ଜାବ ପୁଲିସ ମୁଖ୍ୟ ଇନାମ ଘନି କହିଛନ୍ତି, ଲାହୋର ବିସ୍ଫୋରଣ ପଛରେ ଜଣେ ଭାରତୀୟ ସଂପୃକ୍ତ ଥିବା ଏବଂ ‘ର’ ସହିତ ତାଙ୍କର ସଂପର୍କ ରହିଥିବା ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଦାବି କରିଛନ୍ତି । ୟୁସୁଫ କହିଥିଲେ, ଲାହୋର ଘଟଣାକୁ ନେଇ ତାଙ୍କ ନିକଟରେ ଆର୍ଥିକ ଓ ଟେଲିଫୋନ କଲ୍ ରେକର୍ଡ ସମେତ ଠୋସ୍ ପ୍ରମାଣ ଏବଂ ଗୁଇନ୍ଦା ତଥ୍ୟ ରହିଛି । ଏଥିରୁ ଏଭଳି ଆତଙ୍କବାଦୀକୁ ଭାରତ ପ୍ରୋତ୍ସାହନ ଦେଉଥିବା ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଦେଶର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକ ବିସ୍ଫୋରଣର ତଥ୍ୟ ପ୍ରମାଣ ଯୋଗାଡ କରିପାରିଥିôବାରୁ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେମାନଙ୍କୁ ପ୍ରଶଂସା କରିଛନ୍ତି ।