Odia News Portal

ଓଡ଼ିଶା ଫେରିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା


ଭୁବନେଶ୍ୱର: ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା । ଏନେଇ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । କୋଲକାତାରୁ ଅଣାଯିବା ନେଇ ବିଚାର ବିମର୍ଶ ଜାରି ରହିଛି । ଏହି ବିମାନ ଆଣିବା ଲାଗି ସପ୍ତାହକ ମଧ୍ୟରେ ଟେଣ୍ଡର ହେବ । ତେବେ ଏହା ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦର ଗୋଲେଇ ଛକରେ ରହିବ ବୋଲି ସୂଚନା ମିଳିଛି । ଏଥିଲାଗି ଜିଏ ବିଭାଗ ଅନୁମତି ଦେଇସାରିଛି । ବାକି ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)କୁ ଅନୁମତି ମଗାଯାଇଛି । ଏନ୍ଓସି ଆସିଲେ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ଗ୍ରହଣ କରାଯିବ ।

ସୂଚନା ଥାଉକି, ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ । ତାକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅନେକ ବିଜୁପ୍ରେମୀ କହିଛନ୍ତି, ଆଗାମୀ ଦିନରେ ଏହି ବିମାନଟି ପରପିଢ଼ିଙ୍କୁ ଅପୁପ୍ରେରିତ କରିବ । ବିଜୁବାବୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିବ । ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ ।