Odia News Portal

୭ ସାଇବର ଠକଙ୍କ ନିକଟରୁ ୧୬ ହଜାର ସିମ୍‌କାର୍ଡ ଜବତ

ଭୁବନେଶ୍ୱର: ଲକଡାଉନ ସମୟରେ ମାତିଥିଲେ ସାଇବର ଠକ । ଘରେ ବସି ଲୋକଙ୍କୁ ଠକି ଲୁଟୁଥିଲେ ଲକ୍ଷାଧିକ ଟଙ୍କା । କମିଶନରେଟ୍ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା । ସାଇବର କେଶରେ ଭୁବନେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସହିତଦନଗର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ବଡ଼ ସଫଳତା ପାଇଛି କମିଶନରେଟ୍ ପୋଲିସ । ତଦନ୍ତ ବେଳେ ଜଣାପଡ଼ିଥିଲା ଭଦ୍ରକ, ବାଲେଶ୍ୱର ଆଖପାଖ ଜିଲ୍ଲାରୁ ବହୁ ପରିମାଣର ପ୍ରି-ଆକ୍ଟିଭେଟେଡ୍ ସିମ୍ ବାହାରକୁ ଚାଲାଣ ହେଉଥିଲା ।

ଉକ୍ତ ସିମଗୁଡ଼ିକ ସାଇବର କ୍ରାଇମରେ ବ୍ୟବହାର କରାଯାଉଥିଲା । ଆମେ ପ୍ରି-ଆକ୍ଟିଭେଟେଡ୍ ସିମକୁ ଟ୍ରାକ୍ କରି ତଦନ୍ତ କରିଥିଲୁ । ଏହା ପଛରେ ବଡ଼ ଗ୍ୟାଙ୍ଗ ଥିବା ଜଣା ପଡ଼ିଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗ୍ରାହକଙ୍କ ପରିଚୟ ପତ୍ରକୁ ନକଲ କରି ବହୁ ସିମ୍ ଆକ୍ଟିଭ୍ କରି ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ଏହି ସବୁ ସିମ୍ ଅନ୍ୟ ରାଜ୍ୟକୁ ପଠାଯାଇ ଠକେଇ କରାଯାଉଛି । ଏହି ସିମ୍ ଗୋଟିଏ ଥର ବ୍ୟବହାର କରି ଫୋପାଡ଼ି ଦିଅନ୍ତି ।

ଗିରଫ ୭ ଜଣଙ୍କ ମଧ୍ୟରୁ ୫ ଜଣ ମୋବାଇଲ୍ ବିକ୍ରେତା ଅଛନ୍ତି । ଅନ୍ୟ ୨ ଜଣ ଏକ ନିର୍ଦ୍ଦିଷ୍ଟ ସର୍ଭିସ୍ ପ୍ରୋପାଇଡର କମ୍ପାନୀର କର୍ମଚାରୀ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର। ଏତେ ସଂଖ୍ୟାରେ ସିମ୍ କିଭଳି ଆକ୍ଟିଭେଟ୍ ହେଉଛି । କିଭଳି ବାହାରକୁ ଯାଉଛି । ଏସବୁର ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ରାଜ୍ୟ ବାହାରକୁ ଏହି ସାଇବର କ୍ରାଇମ୍ ଚେର ଲମ୍ବିଛି । ଗୋଟିଏ ପ୍ରି-ଆକ୍ଟିଭେଟ୍ ସିମର ମୂଲ୍ୟ ୫ ଶହ ଟଙ୍କାରୁ ଅଧିକ । ପ୍ରି-ଆକ୍ଟିଭେଟ୍ ସିମକୁ ଗିରଫ ଅଭିଯୁକ୍ତ କୋରିଅର ମାଧ୍ୟମରେ ବାହାର ରାଜ୍ୟକୁ ପଠାଉଥିଲେ । ତଦନ୍ତରେ ଯାହାର ଅବହେଳା ଦେଖାଯିବ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।