Odia News Portal

ଗରୀବିରେ ମରିଗଲେ ଗରୀବ ଖାଁ

ଫୁଲବାଣୀ: ଗରୀବିରେ ମରିଗଲା ଗରୀବ ଖାଁ । ଯିଏ ଦିନେ ସମସ୍ତଙ୍କ ପାଇଁ ଘରକରଣା ତିଆରି କରି ପ୍ରଶଂସା ସାଉଁଟୁଥିଲା ସେ ମଲାଯାଏ ବି ଘର ଖଣ୍ଡେ ପାଇଲାନି । ଫୁଲବାଣୀ ଜିରିଙ୍ଗିପଡା ଗାଁ ମୁଣ୍ଡ ପାହାଡ ତଳେ ଝାଟିମାଟି ଦଦରା କୁଡିଆ କରି ରହୁଥିଲେ ଗରିବ୍ ଖାଁ । ପରିବାର କହିଲେ ୭ ପ୍ରାଣୀ କୁଟୁମ୍ବ । ସ୍ୱାମୀ, ସ୍ତ୍ରୀ ,୪ ପୁଅ ଏବଂ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର । ପଥରରେ ଶୀଳ ଘୋରଣା ତିଆରି କରି ଲୋକଙ୍କୁ ବିକ୍ରି କରି ବେଶ୍ ଲୋକ ପ୍ରିୟ ଥିଲେ । ଓଷା ବାହା ପୁନିଅ ପରବରେ ଶିଳ ଘୋରଣାରେ ବେଶ ଚାହିଦା । ସବୁକିଛି ତ ଠିକ୍ ଠାକ ଥିଲା ହେଲେ ଆଧୁନିକ ଦୁନିଆରେ ମେସିନର ବହୁଳ ବ୍ୟବହାର ପାଇଁ ଗରୀବଙ୍କ ବେଉଷା ବୁଡିଗଲା । ଗ୍ରାଇଣ୍ଡର କିଣି ଲୋକେ ଶିଳ ଘୋରଣାକୁ ଭୁଲିଗଲେ । ତେଣୁ ଗରୀବ ଆହୁରି ଗରୀବ ହେବାକୁ ଲାଗିଲେ । ଆଉ ଶେଷରେ ସେଇ ଅଭାବ ଅନଟନ ଓ ଚିନ୍ତା ତାଙ୍କୁ ଆରପାରିକୁ ନେଇଗଲା ।

ଗାଁ ମୁଣ୍ଡ ପାହାଡ ତଳେ ମାଟିରେ ଘର ତିଆରି କରି ରହୁଥିଲେ ଗରିବ୍ । ଘରଟିଏ ପାଇଁ ଯେତେ ନେହୁରା ହେଲେ ବି ସରପଂଚ କି ସରକାରୀ ବାବୁ ତାଙ୍କ କଥା ଶୁଣୁନଥିଲେ । ଯକୃତ ରୋଗରେ ପଡି ଫୁଲବାଣୀ ଡାକ୍ତରଖାନାରୁ ବ୍ରହ୍ମପୁର ଚିକିତ୍ସା ପାଇଁ ଯାଇଥିଲେ ଗରୀବ । ହେଲେ ବିନା ଟଙ୍କାରେ ଗରୀବର ଚିକିତ୍ସା ହୋଇପାରିଲାନି ବୋଲି ସେଇ ପାହାଡ ତଳ ଝୁମ୍ପୁଡିରେ ପଡି ପଡି ତାଙ୍କ ଜୀବନ ଗଲା । ଗରୀବ ସିନା ଆରପାରିକୁ ଚାଲିଗଲେ ଆଜି ବି ଏ ଭଙ୍ଗାଘର ସେମିତି ରହିଛି, ବିଲକୁଲ ବଦଳିନି । ଲାଗୁଛି ଗୋଦାବରୀଶ ମିଶ୍ରଙ୍କ ମାଗୁଣୀର ଶଗଡ ଭଳି ଏ ହେଉଛି ଗରୀବର କୁଡିଆ…

ଦୁଇବର୍ଷ ତଳେ ମାଆ ଆରପାରିକୁ ଚାଲାଯାଇଥିବା ବେଳେ ଆଜି ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ପିଲା । ଏହି ଅନାଥ ପିଲା ମାନଙ୍କୁ ସରକାରୀ ସହାୟତା ସହ ଘର ଖଣ୍ଡେ ମିଳିଲେ ମୁଣ୍ଡ ଗୁଞ୍ଜି ପାରନ୍ତେ ବୋଲି କହିଛନ୍ତି ଅଂଚଳବାସୀ ।