Odia News Portal

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବଡ଼ ନିଷ୍ପତି । ଜମି ଜବରଦଖଲକାରୀ କେବେ ହେଲେ ନେଇପାରିବେ ନାହିଁ ଆଇନର ଆଶ୍ରୟ । ଏଭଳି ନିଷ୍ପତି ଘୋଷଣା କରିଛି ସୁପ୍ରିମକୋର୍ଟ । ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ ଜବରଦଖଲ ସେଠାରୁ ହଟାଇବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ହରିଆଣା ଓ ଫରିଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଉଚ୍ଛେଦ ଅଭିଯାନ ସମୟରେ ପୂର୍ଣ୍ଣ ପୁଲିସ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ସୁପ୍ରିମ କୋର୍ଟ ଫରିଦାବାଦ ଡେପୁଟି ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ଅବକାଶ କାଳୀନ ବିଚାରପତି ଜଷ୍ଟିସ ଏ ଏମ୍ ଖାନୱିଲକର ଏବଂ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ପୀଠ ଭିଡିଓ କନଫରେନ୍ସ ମାଧ୍ୟମରେ ମାମଲାର ଶୁଣାଣି କରିବା ଅବସରରେ ଫରିଦାବାଦର ଲକରପୁର ଖୋରି ଗ୍ରାମ ନିକଟରୁ ଜଙ୍ଗଲ ଜମିରୁ ସମସ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷକରି ଅଦାଲତଙ୍କ ଆଦେଶ ପାଳନ ରିପୋର୍ଟ ଛଅସପ୍ତାହ ମଧ୍ୟରେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ରାଜ୍ୟ ସରକାର ଉକ୍ତ ଲୋକଙ୍କର ଥଇଥାନ ଆବେଦନ ସମ୍ପର୍କରେ ବ୍ୟକ୍ତିଗତ ଭାବରେ ବିଚାର କରିପାରନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ତାହାକୁ ଚାଲେଞ୍ଜ କରି ସାରିନା ସରକାର ନାମକ ଜଣେ ଜବରଦଖଲକାରୀଙ୍କ ନେତୃତ୍ୱରେ ପାଞ୍ଚଜଣ ବ୍ୟକ୍ତି ଏକ ଯାଚିକା ଦାଏର କରିଥିଲେ।