ପୁରୀ: ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି।ଏହା ଦେବସ୍ନାନପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁରହିବ । ଆସନ୍ତାକାଲି ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ ସ୍ନାନପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ୨୧ଦିନ ବ୍ୟାପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଓ ପଞ୍ଚପାଣ୍ଡଵ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବା ପରେ ପରବର୍ତ୍ତୀ ୨୧ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ । ଗତକାଲି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସରିବା ପରେ ଆଜିଠାରୁ ଶ୍ରୀଜୀଉମାନଙ୍କର ଭିତର ଚନ୍ଦନ ଆରମ୍ଭ ହୋଇଛି।ଏହି ୨୧ଦିନ ମହାପ୍ରଭୁଙ୍କ ଚନ୍ଦନ ଓ ଆଲଟ ଲାଗି କରାଯିବ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯାଇଛି।ଜ୍ୟେଷ୍ଠ କୃଷ୍ଣ ଏକାଦଶୀ,ସାବିତ୍ରୀ ଅମାବାସ୍ୟା,ଶୀତଳ ଷଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଠାକୁରଙ୍କ ଜଳକ୍ରୀଡ଼ା ଅନୁଷ୍ଠିତ ହେବ।
ଅନ୍ୟପଟେ ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ୟ୍ୟ।ତିନିରଥର ୨୬ଚକ ଓ ୨୧ଅଖ କାମ ଶେଷ ହୋଇଛି।ଏବେ ରଥର ଉପରିଭାଗର କା ର୍ଯ୍ୟ ଆରମ୍ଭ ହୋଇଛି।ରଥର ଓରା ଓ ଖମ୍ବି କାମ ଚାଲିଛି।ରଥରେ ୪ଟି ଲେଖାଏଁ ଓରା ଓ ୮ଟି ଲେଖାଏଁ ଖମ୍ବି ଲାଗିବ।ଏହା ରଥ ଭୂଇଁ ନିର୍ମାଣରେ ଲାଗିବ।ତାଳଧ୍ୱଜ ରଥର ୮ଟି ଚକ ଓ ୭ଟି ଅଖ,ଦେବଦଳନ ରଥର ୮ଟି ଚକ ଓ ୬ଟି ଅଖ ଏବଂ ନନ୍ଦିଘୋଷ ରଥର ୧୦ଟି ଚକ ଓ ୮ଟି ଅଖ କାମ ସରିଛି।ବାକି ୧୬ଟି ଚକ ନିର୍ମାଣ ଶେଷ ପର୍ଯ୍ୟୟରେ।ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ାବାଡ଼ିଆ ବା ଅର ସହିତ ତୁମ୍ବ ସଂଯୋଗ କରି ରଥଖଳାରେ ପହଞ୍ଚାଉଛନ୍ତି।କମାରସେବକ ଚାରିନାହାକା ପାଇଁ ଚଣାକ କଣ୍ଟା,ଗୟଳ ବାନ୍ଧେଣୀ ପାଇଁ ଯୋଖା,ଦୁଆରବନ୍ଧ ପାଇଁ ଅଗପାତେଳି କଣ୍ଟା,ଗୟଳ କଣ୍ଟା ଓ ସିଙ୍ଗଡ଼ା କଣ୍ଟା ତିଆରି କରୁଛନ୍ତି। ରଥର ଉପରିଭାଗର କାର୍ୟ୍ୟ ଆରମ୍ଭ ହୋଇଛି।ରଥର ଅଖ ଉପରେ ଦଣ୍ଡା ରହିବ।ଦଣ୍ଡା ଉପରେ ରହିବ ଗରଗରା।ଗରଗରା ଉପରେ ଚାରି ନାହାକା ଉଠି ପ୍ରଥମ ଭୂଇଁ ଉଠିବ।ଶୀତଳଷଷ୍ଠୀ ଦିନ ତିନିରଥର ସମସ୍ତ ୪୨ଚକ ସହ ୨୧ଅଖ ସଂଯୋଗ କରାଯାଇ ଡେରାଯିବ । ଦେବସ୍ନାନପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ଉଠିବାର ପରମ୍ପରା ରହିଛି ।