ମାଲକାନଗିରି: ଲକଡାଉନରେ ଚୋରା ଚାଲାଣ ହେଉଥିଲା ଦେଢ଼ଶହରୁ ଅଧିକ କଇଁଛ । ମାଡି ବସିଲା ପୋଲିସ । ମାଲକାନଗିରି ଜିଲ୍ଲା କାଲିମେଳାରୁ ଆସିଛି ଏଭଳି ଖବର । ଏମପିଭି-୬୫ ଜଙ୍ଗଲରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ବେଳେ ଚୋରା ଚାଲଣ ହେଉଥିବା କଇଁଛର ସନ୍ଧାନ ମିଳିଥିଲା । କଇଁଛଗୁଡିକୁ ଜବତ କରାଯାଇଥିଲା । ଆନ୍ଧ୍ରରୁ ଏହି କଇଁଛ ଚୋରାରେ ବିକ୍ରି କରିବା ପାଇଁ କାଳିମେଳା ଅଣା ଯାଇଥିବା ସୂଚନା ମିଳିଛି । ତେବେ ଯେଉଁମାନେ ଏହି ବେଆଇନ କାରବାରରେ ସଂପୃକ୍ତ ଥିଲେ, ସେମାନଙ୍କୁ ଧରି ପାରିନାହିଁ ବନ ବିଭାଗ ।
କାଲିମେଳା ଅଞ୍ଚଳର କିଛି ଲୋକ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରି କରୁଥିବା ନେଇ ଅଭିଯୋଗ ମିଳିଥିଲା। ଏହା ପରେ ବନ କର୍ମଚାରୀମାନେ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍ପିଭି-୬୫ ଗାଁରେ ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ୨ ଜଣ କଇଁଛ ବ୍ୟବସାୟୀ ଜଙ୍ଗଲ ଭିତରକୁ ପଳାଇଥିଲେ। ତେବେ ଘଟଣାସ୍ଥଳରୁ ବନ କର୍ମଚାରୀମାନେ କଇଁଛ ସହ ୨ଟି ବାଇକ୍ ଜବତ କରିଥିଲେ।