ଯାଜପୁର: ବାଲ୍ୟ ବିବାହକୁ ବନ୍ଦ କରିବା ଲାଗି ବାରମ୍ବାର ବାରଣ କରିବା ସହ ସଚେତନ କରାଯାଉଛି । ଶିକ୍ଷିତ ସମାଜରେ ଏଭଳି ଅଶିକ୍ଷିତ କାମ ଆଜି ବି ଚାଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ଅଞ୍ଚଳରେ ଏଭଳି ବାଲ୍ୟ ବିବାହ ହେଉଥିବାବେଳେ ପହଞ୍ଚିଯାଇଥିଲା ଚାଇଲ୍ଡ ଲାଇନ୍ । ବରକୁ ୧୪ ବର୍ଷ ହୋଇଥିବାବେଳେ କନିଆଁକୁ ୧୩ ବର୍ଷ ହୋଇଛି ।
ଏମାନଙ୍କ ବିବାହ ଉଭୟ ପରିବାର କରାଉଥିଲେ । ବରର ଘର ତଳନଗଡ଼ାରେ ହୋଇଥିବାବେଳେ କନିଆଁଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଶିଶୁ ମଙ୍ଗଳ ଅଧିକାରୀ ଏହି ଖବର ପାଇବା ପରେ ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଯାଜପୁର ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ସହ ପୁଅକୁ ଯାଜପୁର ବାଳାଶ୍ରମ ଓ ଝିଅକୁ ସଖୀ କେନ୍ଦ୍ରରେ ରଖାଯାଇଛି । ସେମାନଙ୍କ ସମସ୍ତ ଯାଞ୍ଚ ପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନର କୋ-ଅର୍ଡିନେଟର କହିଛନ୍ତି ।