ଭୁବନେଶ୍ୱର : ବାତ୍ୟା ୟସର ସମ୍ମୁଖୀନ ହୋଇଥିବା ଓଡିଶା କୋଭିଡ ପାଇଁ କେନ୍ଦ୍ରକୁ ଟଙ୍କାଟିଏ ସହାୟତା ନମାଗିବା ଓ କେନ୍ଦ୍ର ଉପରେ ଏଭଳି ସମୟରେ ବୋଝ ନହୋଇ ନିଜ ଅର୍ଥରେ ବାତ୍ୟା ମୁକାବିଲା କରିବାପାଇଁ ନବୀନ କହିବା ଏବେ ନୂଆ ଇତିହାସ ସୃଷ୍ଟି କରିଛି । ନବୀନଙ୍କ ଏଭଳି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ରାଜ୍ୟ ବିଜେପିର ମୁହଁ ବି ବନ୍ଦ କରିଦେଇଛି ।
କୌଣସି ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ପ୍ରଧାନମନ୍ତ୍ରୀ ଗଲେ ସେହି ରାଜ୍ୟ ପକ୍ଷରୁ ମୋଟା ଅଙ୍କର ସହାୟତା ଦାବି ଦାବି ହୋଇଥାଏ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁମାନେ ପଇସା ମାଗିବାର ଲମ୍ବା ଚିଠା ପ୍ରଧାନମନ୍ତ୍ରୀଙ୍କୁ ଧରାଇ ଦେଇଥାନ୍ତି । ଦାବି ମୁତାବକ ମିଳନଥାଏ । ଏହାପରେ ଚାଲିଥାଏ ରାଜନୈତିକ କାଦୁଅଫିଙ୍ଗା । ହେଲେ ଓଡିଶାରେ ଠିକ୍ ଏହାର ବିପରୀତ ଦେଖିବାକୁ ମିଳିଛି । ଓଡିଶା ଯେ ବାତ୍ୟା ମୁକାବିଲା ଭଳି କ୍ଷୟକ୍ଷତି ଭରଣା ପାଇଁ ବି ସକ୍ଷମ ତାହା ନବୀନ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ।
ନବୀନଙ୍କର ଏଭଳି ଗୋଟିଚାଳନା ଜାତୀୟ ସ୍ତରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ରାଜ୍ୟ ବିଜେପିର ବି ମୁହଁ ବନ୍ଦକରି ଦେଇଛି । ମୋଦି ଆସିବେ ମୋଦି ଆସିବେ ବୋଲି ସୋସିଆଲ ମିଡିଆରେ ହୁରି ପକାଇଥିବା ରାଜ୍ୟ ବିଜେପି ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଗସ୍ତରୁ ଯେଉଁ ଫାଇଦା ନେବାକୁ ବସିଥିଲେ ନବୀନ ତାହା କରାଇଦେଇ ନାହାନ୍ତି । ଓଲଟା ବିଜେଡି ଏଥିରୁ ଏକ ପ୍ରକାର ଡବଲ ଫାଇଦା ନେଇଯାଇଛି । ଖାଲି ଫାଇଦା ନେଇନାହିଁ ବିଜେଡି ଓ ନବୀନ ନିଜର ବଡପଣ ଦେଖାଇବା ସହିତ ଆଗାମୀ ଦିନରେ ଓଡିଶା ଯେ କେନ୍ଦ୍ର ନିକଟରେ ହାତପାତିବନାହିଁ ତାହା ପରୋଧରେ ସୂଚାଇ ଦେଇଛନ୍ତି ।ଗୋଟିଏ ପଟେ ଓଡିଶା ସରକାର ପଇସାଟିଏ ତତକାଳ ସହାୟତା ମାଗିନଥିବାବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ଦିଲ୍ଲୀ ଫେରିବା ପୂର୍ବରୁ ଓଡିଶା ପାଇଁ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି । ହେଲେ ଏହି ଘୋଷଣା ବି ନବୀନଙ୍କ ଗୋଟିଚାଳନା ଆଗରେ ଫିକା ପଡିଛି ।
ଗତବର୍ଷର ଅମ୍ଫାନ ସମୟରେ ପ୍ରଧାନମନ୍ତ୍ରୀ ଆଗତୁରା ୫୦୦ କୋଟି ଘୋଷଣା କରି ଯେଉଁ ବାହାବା ସାଉଁଟିଥିଲେ ଏଥର ତାହା ଲକ୍ଷ୍ୟ କରାଯାଉନାହିଁ ।ତେବେ ସଫଳ ବାତ୍ୟା ମୁକାବିଲା ଭଳି ନବୀନ ଯେଭଳି ରାଜ୍ୟ ବିଜେପିର ସଫଳ ମୁକାବିଲା ସହିତ କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କେତେକ ଏହାକୁ ନବୀନଙ୍କର ଗୋଟିଏ ତୀରରେ ଦୁଇଟି ଶିକାର ବୋଲି କହୁଛନ୍ତି । ଏହାଦ୍ୱାରା ନବୀନ ମୋଦି ଓ କେନ୍ଦ୍ରୀୟ ବିଜେପିର ଆହୁରି ନିକଟତର ହୋଇଥିବାବେଳେ ରାଜ୍ୟ ବିଜେପିକୁ ଝଟ୍କା ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟ ବିଜେପି ନେତାମାନେ ଓଡିଶା ସରକାର ଓ ନବୀନଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ପୂର୍ବରୁ ଶହେଥର ଚିନ୍ତା କରିବେ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି ।