Odia News Portal

ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟାକୁ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ୱର : ୭ ଦିନ ମଧ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ବୈତରଣୀ ନଦୀର ତଳ ଅଂଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିଦେ୍ର୍ଦଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟାସର ପରବର୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ଏହି ନିଦେ୍ର୍ଦଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଂଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ୱଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ ।
ବାତ୍ୟା ୟଶର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା ଏନଡିଆରଫ୍ , ଆଇଏମଡି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ୱଭାବିକ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ଜଳମଗ୍ନ ଅଂଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ୱଭାବିକ ହୋଇଛି । ପାନୀୟ ଜଳ ପାଇଁ ଡିଜି ସେଟ୍, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ।
ସ୍ୱତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏକ ଉପସ୍ଥାପନା ରଖି କରିଥିଲେ ଯେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୦୦ଟି ବ୍ଲକ୍ ରେ ପ୍ରବଳ ବର୍ଷା ହୋଇଥିଲା ,ମୟୁରଭଂଜର କୁସୁମୀ ବ୍ଲକ୍ ରେ ୫୧୫ ମି.ମି ବର୍ଷା ହୋଇଥିଲା । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ୱ୍ୱେ ବନ୍ୟା ଆଶଙ୍କା କମ୍ । ବୈତରଣୀ ନଦୀର ନିମ୍ନାଂଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍ ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ୱାଭାବିକ କରାଯିବ ।
ସେହିପରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍ ସେଟ୍ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ ପୌରାଂଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ୱାଭାବିକ କରାଯାଇଛି ।ଜଳସଂପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି ।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି ।
ସେହିପରି ପୂର୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍ପିଟାଲରେ ଭିତିଭୂମି ଠିକ୍ ରହିଛି । ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ । ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ ।
ବୈଠକରେ ବାଲେଶ୍ୱର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ । ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ଉଲ୍ଲେଖ୍ୟଯୋଗ୍ୟ ଯେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୧ ଘଂଟା ଧରି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ।
P