ଭୁବନେଶ୍ବର : ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଏହି ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ତ୍ତମାନ ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଆନନ୍ଦପୁରରେ ଜଳସ୍ତର ୩୯ ମିଟର ରହିଛି ।
ତେବେ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ଯଦି ଉପରମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହୁଏ ତେବେ ଭଦ୍ରକ ଜିଲ୍ଲାର ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ଏହି ବ୍ଲକଗୁଡ଼ିକ ହେଲା ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି। ଏହି ବ୍ଲକଗୁଡ଼ିକର ୧୪ଟି ପଞ୍ଚାୟତ ଏହାଦ୍ବାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି। ଖାଲି ସେତିକି ନୁହେଁ ଜିଲ୍ଲାର କେତେକ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି।
ମୟୂରଭଂଜ ଜିିଲ୍ଲାରେ ବନ୍ୟାର ଆଶଙ୍କା କମ୍ । ବର୍ତ୍ତମାନ ନିୟନ୍ତ୍ରଣରେ ଅଛି ବନ୍ୟା ପରିସ୍ଥିତି । ବାତ୍ୟା ୟାସ ପ୍ରଭାବରେ ଗତ ୨ ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଯାହା ସର୍ବାଧିକ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଯାହା ଫଳରେ ଗତକାଲି ଦୁଇ ପ୍ରହରରୁ ଶିମିଳିପାଳରୁ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଥିଲା ।
ହେଲେ ଗତକାଲି ରାତି ୧୨ଟା ପରେ ଶିମିଳିପାଳରେ ବର୍ଷା କମିବା ଫଳରେ ବୁଢ଼ାବଳଙ୍ଗରେ ଜଳସ୍ତର ହ୍ରାସ ପାଇଛି । ଏବଂ ବର୍ତ୍ତମାନ ଜଳସ୍ତର ସ୍ଥିର ରହିଛି । ଜିଲ୍ଲା ପ୍ରଶାସନ ସୂଚନା ମୁତାବକ ଯେହେତୁ ପାଗ ଏବେ ଭଲ ରହିଛି ଏବଂ ବର୍ଷା ମଧ୍ୟ ବନ୍ଦ ହୋଇଛି, ତେଣୁ ଜିଲ୍ଲାରେ ରହିଥିବା ସମସ୍ତ ନଦୀ ଗୁଡ଼ିକର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ଏବେ ବନ୍ୟା ଆଶଙ୍କା କମ୍ ରହିଛି । ହେଲେ ନଦୀ ଗୁଡ଼ିକ ଯେହେତୁ ସମ୍ପୁର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ନାହିଁ ତେଣୁ ଉପର ମୁଣ୍ଡରେ ଯଦି ପୁଣି ଲଗାତର ବର୍ଷା ହୁଏ ତେବେ ପୁଣି ହୁଏତ ଜଳସ୍ତର ବଢ଼ିପାରେ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ କୂଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।