Odia News Portal

ନବୀନଙ୍କ ବାତ୍ୟା ପରିଚାଳନାରେ ବିରୋଧିଙ୍କ ପାଟି ଚୁପ୍‌

*ମୋର୍ଚ୍ଚା ସମ୍ଭାଳିଲେ ଯୁବନେତା ।

ଭୁବନେଶ୍ୱର : ବାତ୍ୟା ‘ୟସ୍‌’ ରାଜ୍ୟର ଏକାଧିକ ଜିଲ୍ଲାକୁ କ୍ଷତି ପହଞ୍ଚାଇବାଥିବାବେଳେ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ବାତ୍ୟାଞ୍ଚଳରେ ଡେରା ଓ ଯୁବ ନେତାମାନେ ବିଭିନ୍ନ ଜିଲ୍ଲାରେ ମୋର୍ଚ୍ଚା ସମ୍ଭାଳିବା  ଫଳରେ ବିରୋଧିଙ୍କ ପାଟି ଚୁପ୍‌ ହୋଇଯାଇଛି । ଅବସ୍ଥା ଏଭଳି ହୋଇଛି ଯେ ବାତ୍ୟା ପରିଚାଳନା ନେଇ ସରକାରଙ୍କ ବିରୁଦ୍ଧରେ ପାଟି ଖୋଲିବାକୁ ସାହସ କୁଳାଇ ପାରୁନାହାନ୍ତି ।ବାତ୍ୟା ଓଡିଶା ମୁହାଁ ହେବା ପରଠାରୁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମୋର୍ଚ୍ଚା ସମ୍ଭାଳିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାରଜେନା ।  ଯେତେବେଳେ ବାତ୍ୟା ଓଡିଶା ନିକଟତର ହେବାକୁ ଲାଗିଲା ସେତେବେଳେ ଓଡ୍ରାଫ, ଏନ୍‌ଡିଆରଏଫ୍‌ ଟିମ୍‌ ସହିତ ପ୍ରତ୍ୟେକ ଜିଲ୍ଲାକୁ ଜଣେକରି ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ ଅଧିକାରୀଙ୍କୁ ପଠାଗଲା । ସେମାନେ ଜିଲ୍ଲାରେ ପହଞ୍ଚିବାପରେ ସ୍ଥାନୀୟ ପ୍ରଶାସନ ଅଧିକ ତତ୍ପର ହୋଇଉଠିଲେ । ଏଥି ସହିତ ସ୍ଥାନୀୟ ଲୋକପ୍ରତିନିଧିମାନେ ମଧ୍ୟ ପ୍ରଶାସନ ସହିତ ଯୋଗସୂତ୍ର ରକ୍ଷାକରି ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ନିରାପଦସ୍ଥାନକୁ ଆସିବାକୁ ଅନୁରୋଧ କଲେ ।ସଦ୍ୟ କରୋନାମୁକ୍ତ ହୋଇଥିବା ଏସ୍‌ଆରସି ଶ୍ରୀ ଜେନା ବାତ୍ୟାର ଘନଘଟା ମଧ୍ୟରେ ବାଲେଶ୍ୱର ଗସ୍ତକରି ସ୍ଥିତି ପରଖିଥିଲେ । ଏଥି ସହିତ ସମସ୍ତ ବିଭାଗ ନିଜ ନିଜ ସ୍ତରରେ ପ୍ରସ୍ତୁତ ହୋଇ ରହିବାପାଇଁ କୁହାଗଲା ।

ମୁଖ୍ୟମନ୍ତ୍ରୀ ବାରମ୍ବାର ବାତ୍ୟା ସଂକ୍ରାନ୍ତରେ ଅନୁଧ୍ୟାନ କରୁଥିବାବେଳେ ଏସ୍‌ଆରସି ଶ୍ରୀ ଜେନା ପ୍ରତ୍ୟେକ ଜିଲ୍ଲାପାଳ ଓ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ସମ୍ପର୍କରେ ରହିଥିଲେ । ଯାହାର ଫଳ ସ୍ୱରୂପ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରୁ ଅତି ଅଳ୍ପ ସମୟରେ ସାଢେ ୫ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦସ୍ଥାନକୁ ଅଣାଯାଇ ପାରିଥିଲା ।ବାଲେଶ୍ୱର ଜିଲ୍ଲାରେ ବାତ୍ୟା ମାଡ ହେବା ଖବର ପାଣିପାଗ ବିଭାଗ ଦେବାପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସେଠାକୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଥିଲେ । ଦିବ୍ୟଶଙ୍କର ସେଠାରେ ପହଞ୍ଚିବା ପୂର୍ବରୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ପହଞ୍ଚିଥିଲେ । ତିନି ଯୁବନେତା କ୍ଷତିଗ୍ରସ୍ତ ସମୁଦ୍ରକୂଳିଆ ଅଞ୍ଚଳରେ ଏକ ପ୍ରକାର ମୋର୍ଚ୍ଚା ସମ୍ଭାଳିଥିଲେ । ଫଳରେ ସ୍ଥାନାନ୍ତରଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା ।

ସେହିଭଳି ପ୍ରଭାବିତ ହେବାକୁ ଥିବା କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାପାଳଙ୍କ ସମେତ ଶିଳ୍ପ ସଚିବ ହେମନ୍ତ ଶର୍ମା ମୋର୍ଚ୍ଚା ସମ୍ଭାଳିଥିଲେ । ଶ୍ରୀ ଶର୍ମା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାପାଳ ଥିବାରୁ ତାଙ୍କର ଅଭିଜ୍ଞତା କାମ ଦେଇଥିଲା ।ବାତ୍ୟା ବିପଦ ଟଳିବାପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବାତ୍ୟା ସମୀକ୍ଷା କରିବା ସହିତ ପ୍ରଭାବିତ ପରିବାରଗୁଡିକ ପାଇଁ ୭ଦିନର ରିଲିଫ ଘୋଷଣା କରିଛନ୍ତି । ଏଥି ସହିତ ସମ୍ପୃକ୍ତ ଅଞ୍ଚଳରେ ରିଲିଫ ଓ ଥଇଥାନ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏଭଳି ତ୍ୱରିତ ପଦକ୍ଷେପ ପାଇଁ ପ୍ରଥମେ ଦେଶର ଅନ୍ୟତମ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟୁଇଟ୍‌ କରି ପ୍ରଶଂସା କରିଥିବାବେଳେ ଅନ୍ୟ ରାଜ୍ୟଗୁଡିକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।