Odia News Portal

ଧାମରାରେ ସ୍ଥଳଭାଗ ଅତିକ୍ରମ କରିବ ‘ୟାସ୍’

ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି

ଭୁବନେଶ୍ୱର : ବଙ୍ଗୋପସାଗରରେ ୟାସ୍ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍ । ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ୟାସ୍ ସ୍ଥଳଭାଗ ଅତିକ୍ରମ କରିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି  IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ ବୋଲି ସେ କହିଛନ୍ତି । ଏହା ସହ ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୟାସର ପ୍ରଭାବ ପଡ଼ିବ।  ସେହିଭଳି ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛନ୍ତି IMD ମହାନିର୍ଦ୍ଦେଶକ।   ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଶେଷ ୬ ଘଣ୍ଟାରେ ୟାସ୍ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିମି ଦୂରରେ ବାତ୍ୟା ୟାସ୍ ରହିଛି। ବାଲେଶ୍ୱର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୮୦ କିମି ଦୂରରେ ଅଛି ବାତ୍ୟା। ଦୀଘା ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୭୦ କିମି ଦୂରରେ ରହିଛି ୟାସ୍।